ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ରେ ପୌର ନିର୍ବାଚନ ପାଇଁ ଆଜି ମତଗଣନା କଡ଼ା ସୁରକ୍ଷା ବ୍ୟବସ୍ଥା ରେ ଆରମ୍ଭ ହୋଇଥିଲା । ଏନଏସିର ୧୫ଟି ୱାର୍ଡ ପାଇଁ ସମୁଦାୟ ୧୭ ହଜାର ୭୨୩ ଜଣ ଭୋଟର ଥିବାବେଳେ ୧୧ ହଜାର ୭୧୧ ଜଣ ଭୋଟ ଦେଇଥିଲେ । ଆଜି ସକାଳୁ ଭୋଟ ଗଣତି ପାଇ ଇଭିଏମକୁ କଡ଼ା ସୁରକ୍ଷା ମଧ୍ୟରେ ମତଗଣନା କେନ୍ଦ୍ରକୁ ଅଣାଯାଇଥିଲା । ୧୫ଟି ୱାର୍ଡରୁ ୧୪ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବାବେଳେ ୧୩ନଂ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ରୁନୁ କୁମ୍ଭାର ବିଜୟୀ ହୋଇଥିବା ଜଣାପଡ଼ିଛି । ଫଳରେ ଦୀର୍ଘ ୨୫ ବର୍ଷ ପରେ ବିଜେଡି ପାଟଣାଗଡ଼ ଏନଏସି ଦଖଲ କରିବାରେ ସଫଳ ହୋଇଛି ।
ସେହିପରି ବିଜେଡିର ଅଧ୍ୟକ୍ଷ ପ୍ରାର୍ଥିନୀ ମାନସୀ ବିଶ୍ୱାଳ ତାଙ୍କ ସମକକ୍ଷ ବିଜେପି ପ୍ରାର୍ଥୀ ବୁଡୁ ଶବରଙ୍କଠାରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ମାନସୀ ବିଶ୍ୱାଳ ୬,୬୩୭ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ବୁଡୁ ଶବର ୩,୫୭୧ ଭୋଟ ପାଇଛନ୍ତି । ଅନ୍ୟପଟେ କଂଗେସ ପ୍ରାର୍ଥୀ ନୀଳମଣୀ ଭୋଇ ୧୦୭୦ ଭୋଟ, ସ୍ୱାଧୀନ ପ୍ରାର୍ଥୀ ମାନ ମୁଣ୍ଡା ୩୨୯ ଓ ନୋଟାରେ ୧୭୨ ଭୋଟ ପଡ଼ିଛି । ପାଟଣାଗଡ଼ ଏନଏସିରେ ବିପୁଳ ପରିମାଣରେ ବିଜେଡିକୁ ସମର୍ଥନ କରି ଏନଏସି ଅଧ୍ୟକ୍ଷା ପ୍ରାର୍ଥୀ ଓ ୧୪ଟି କାଉନସିଲରକୁ ବିଜୟୀ କରିଥିବାରୁ ବିଧାୟକ ସରୋଜ କୁମାର ମେହେର ପାଟଣାଗଡ଼ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।