ବାଲିମେଳା ଜଳ ଭଣ୍ଡାରର ଜଳସ୍ତର କମାଇବାକୁ ସ୍ୱାଭିମାନ ଅଞ୍ଚଳ ବାସୀଙ୍କ କଡ଼ା ଚେତାବନୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳବାସୀ ଏକ ପୋଷ୍ଟର ମାଧ୍ୟମରେ ବାଲିମେଳା ଜଲଭଣ୍ଡାରର ଜଳସ୍ତର କମାଇବାକୁ ଚେତାବନୀ ଦେଇଛନ୍ତି। ବାଲିମେଳା ଜଳଭଣ୍ଡାରରେ ବର୍ତ୍ତମାନ ଜଳ ବୃଦ୍ଧି ପାଇଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିମେଳାରେ ଜଳସ୍ତର ବଢ଼ିବାରୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଫସଲ ଯଥା- ଧାନ, ମାଣ୍ଡିଆ, ସୁଆଁ, ବିରି, ମୁଗ ଆଦି ନଷ୍ଟ ହୋଇଯାଇଥିଲା।

ସେହିପରି ସରକାର ଏହାର କ୍ଷତିପୂରଣ ଦେଉନାହାନ୍ତି କି ସାହାଯ୍ୟ ଯୋଗାଇ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ବାଲିମେଳା ଡ୍ୟାମରେ ଜଳସ୍ତର ବୃଦ୍ଧି କରି ଅଧିକା ବିଦ୍ୟୁତ ଉତ୍ପାବନ କରି ବଡ଼ ବଡ଼ କମ୍ପାନୀ ଏବଂ ସରକାର ଲାଭବାନ ହେଉଥିବାବେଳେ ଅଞ୍ଚଳବାସୀଙ୍କୁ ଏହି ଜଳର ପ୍ରକୋପକୁ ଭୋଗିବାକୁ ପଡ଼ୁଛି। ଚଳିତବର୍ଷ ମଧ୍ୟ ଉକ୍ତ ଜଳ ଭଣ୍ଡାରରେ ପାଣି ବଢ଼ିଛି। ତେଣୁ ତୁରନ୍ତ ଡ୍ୟାମରୁ ପାଣି କମାନ୍ତୁ ନହେଲେ ଆଦିବାସୀ ବିପ୍ଲବୀ ଚାଷୀ ମୁଲିଆ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ବାଲିମେଳା ଜଳ ଭଣ୍ଡାର ରେ ଜଳ ଧାରଣ କ୍ଷମତା ୧୫୧୬ ଫୁଟ ଥିବାବେଳେ ବର୍ତ୍ତମାନ ୧୫୧୪ ଫୁଟରେ ପାଣି ପହଞ୍ଚିଲାଣି। କେବଳ ସୁଇସି ଗେଟରେ ଅଧିକ ପରିମାଣରେ ପାଣି ଛଡା ଯାଉଛି ଯାହାକି କେବଳ ଆନ୍ଧ୍ରକୁ ଯୋଗାଇବା ପାଇଁ, ମାତ୍ର କୌଣସି ଗେଟ ଖୋଲା ଯାଇନାହିଁ।