ୱେଷ୍ଟଇଣ୍ଡିଜ୍‌-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ ଡ୍ର’

ଆଣ୍ଟିଗୁଆ,ଏଜେନ୍ସି: ଆଣ୍ଟିଗୁଆର ନର୍ଥ ସାଉଣ୍ଡ୍‌ସ୍ଥିତ ସାର୍ ଭିଭିଆନ୍ ରିଚାର୍ଡ୍ସ ଷ୍ଟାଡିୟମ୍‌ରେ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ ରବିବାର ଅନ୍ତିମ ଦିନ ଡ୍ର’ରେ ଶେଷ ହୋଇଛି। ଦ୍ୱିତୀୟ ଇନିଂସ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍ ୮ ରନ୍ ମଧ୍ୟରେ ଜନ୍ କ୍ୟାମ୍ପବେଲ୍ (୨୨) ଓ ଜର୍ମେନ୍ ବ୍ଲାକ୍‌ଉଡ୍ (୨)ଙ୍କ ସମେତ ଚାରିଟି ୱିକେଟ୍ ହରାଇ ବିପଦରେ ପଡ଼ିଥିଲା।

ଟିମ୍‌କୁ ମ୍ୟାଚ୍ ବଞ୍ଚାଇବା ଆଉ ୩୬ ଓଭର୍ ଖେଳିବାକୁ ଥିବାବେଳେ ଅଭିଜ୍ଞ ଜେସନ୍ ହୋଲ୍ଡର୍ ଓ ପ୍ରଥମ ଇନିଂସ୍‌ର ଶତକଧାରୀ ଏନ୍‌କ୍ରୁମାହ ବୋନର୍ ରକ୍ଷଣାତ୍ମକ ବ୍ୟାଟିଂ କରି ଆଉ କୌଣସି ୱିକେଟ୍ ପଡ଼ିବାକୁ ନଦେଇ ମ୍ୟାଚ୍‌କୁ ଡ୍ର’ ରଖିବାରେ ସମର୍ଥ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଇନିଂସ୍‌ରେ ୪ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ବୋନର୍ ୩୯ ଏବଂ ହୋଲ୍ଡର୍ ୩୮ ରନ୍‌ରେ ଅପରାଜିତ ଥିଲେ।

ପୂର୍ବରୁ ଇଂଲଣ୍ଡ ଦ୍ୱିତୀୟ ଇନିଂସ୍ ୩୪୯/୯ରେ ଘୋଷଣା କରି ୱେଷ୍ଟଇଣ୍ଡିଜ୍ ଆଗରେ ୭୧ ଓଭର୍‌ରେ ୨୮୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଇଂଲଣ୍ଡର ଦ୍ୱିତୀୟ ଇନିଂସ୍‌ରେ ଜ୍ୟାକ୍ କ୍ରଲି (୧୨୧) ଓ କ୍ୟାପ୍‌ଟେନ୍ ଜୋ ରୁଟ୍ (୧୦୯) ଶତକ ହାସଲ କରିବା ସହ ଦ୍ୱିତୀୟ ୱିକେଟ୍ ପାଇଁ ୨୦୧ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ। ଏନ୍‌କ୍ରୁମାହ ବୋନର୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଉଭୟ ଟିମ୍ ମଧ୍ୟରେ ତିନି ଟେଷ୍ଟ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୧୬ ତାରିଖରୁ ବ୍ରିଜ୍‌ଟାଉନ୍‌ର କେନ୍‌ସିଙ୍ଗ୍‌ଟନ୍ ଓଭାଲ୍‌ରେ ଖେଳାଯିବ।