ଜର୍ମାନ୍ ଓପନ୍ ଫାଇନାଲ୍‌ରେ ଲକ୍ଷ୍ୟ ସେନ୍‌

ନୂଆଦିଲ୍ଲୀ,ଏଜେନ୍ସି: ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ବ୍ରୋଞ୍ଜ୍ ବିଜେତା ଭାରତର ଯୁବ ଶଟ୍‌ଲର୍ ଲକ୍ଷ୍ୟ ସେନ୍ ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ ମ୍ୟାଚ୍‌ରେ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ଭିକ୍ଟର ଆକ୍ସେଲସେନଙ୍କୁ ହରାଇ ଜର୍ମାନୀର ମୁଲ୍‌ହିମ୍ ଆନ୍ ଡର୍ ରୁର୍‌ଠାରେ ଚାଲିଥିବା ଜର୍ମାନ୍ ଓପନ୍ ସୁପର୍ ୩୦୦ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଗତ ଜାନୁଆରୀରେ ଇଣ୍ଡିଆ ଓପନ୍‌ରେ କ୍ୟାରିୟର୍‌ର ପ୍ରଥମ ସୁପର୍ ୫୦୦ ଟାଇଟଲ୍ ଜିତିଥିବା ୨୦ ବର୍ଷୀୟ ଲକ୍ଷ୍ୟ ତାଙ୍କ ଉନ୍ନତ ଫର୍ମକୁ ବଜାୟ ରଖି ଏକ ଘଣ୍ଟା ୧୦ ମିନିଟ୍‌ରେ ବିଶ୍ୱର ଏକ ନମ୍ବର ତଥା ଟପ୍ ସିଡ୍ ଆକ୍ସେଲ୍‌ସେନ୍‌ଙ୍କୁ ୨୧-୧୩, ୧୨-୨୧, ୨୨-୨୦ରେ ପରାଜିତ କରିଥିଲେ। ଏହି ବିଜୟ ବିଶ୍ୱର ନଂ ୧୨ ଲକ୍ଷ୍ୟଙ୍କ ପାଇଁ ସ୍ମରଣୀୟ। କାରଣ ଏହା ପୂର୍ବରୁ ତାଙ୍କ ବିପକ୍ଷରେ ଆକ୍ସେଲ୍‌ସେନ୍‌ଙ୍କ ରେକର୍ଡ ୪-୦ ଥିଲା। ଫାଇନାଲ୍‌ରେ ଲକ୍ଷ୍ୟ ଥାଇଲାଣ୍ଡର କୁନ୍‌ଲାଭୁଟ୍ ଭିତିଦ୍‌ସର୍ନଙ୍କୁ ଭେଟିବେ। ଭିତିଦ୍‌ସର୍ନ ଅନ୍ୟ ସେମିଫାଇନାଲ୍‌ରେ ମ୍ୟାଚ୍‌ରେ ମାଲେସିଆର ଲି ଜି ଜିୟାଙ୍କୁ ହରାଇ ଦେଇଛନ୍ତି।

ପ୍ରଥମ ଗେମ୍‌ରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ରହି ଲକ୍ଷ୍ୟ ୨୧ ମିନିଟ୍‌ରେ ବିଜୟୀ ହୋଇଥିଲେ। ତେବେ ଦ୍ୱିତୀୟ ଗେମ୍‌ରେ ଆକ୍ସେଲ୍‌ସେନ୍ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ ନିର୍ଣ୍ଣାୟକ ଗେମ୍‌କୁ ନେଇଯାଇଥିଲେ। ନିର୍ଣ୍ଣାୟକ ଗେମ୍‌ରେ ଉଭୟ ପ୍ରତିଯୋଗୀ ସେମାନଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଏକଦା ଆକ୍ସେଲ୍‌ସେନ୍ ୧୫-୮ରେ ଆଗୁଆ ଥିବାବେଳେ ଯୁବ ଭାରତୀୟ ଶଟ୍‌ଲର୍ ଗୋଟିଏ ଗୋଟିଏ ପଏଣ୍ଟ ଜିତି ୧୯-୧୯ରେ ଗେମ୍ ବରାବର କରିଥିଲେ।

ଏହାପରେ ୨୦-୨୦ରେ ବରାବର କରିବା ପରେ ଲଗାତାର ଦୁଇଟି ପଏଣ୍ଟ ହାସଲ କରି ୨୨-୨୦ରେ ଗେମ୍ ସହ ମ୍ୟାଚ୍ ଜିତି ନେଇଥିଲେ। କ୍ୱାର୍ଟର୍ ଫାଇନାଲ୍‌ରେ ଲକ୍ଷ୍ୟ ପୂର୍ବତନ ବିଶ୍ୱର ଶୀର୍ଷ ୧୦ ଖେଳାଳି ନିଜ ଦେଶର ଏଚ୍‌ଏସ୍ ପ୍ରଣୟଙ୍କୁ ୨୧-୧୫, ୨୧-୬ରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ।