ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କାର୍ଯ୍ୟରତ ସାମ୍ବାଦିକ ବିଶାଳ କୁମାର ଅଗ୍ରୱାଲ ସମେତ ସଇଁନ୍ତଲା ବ୍ଲକ୍ର ସମସ୍ତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସଇଁନ୍ତଲା ଥାନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ଥାନୀୟ ଥାନା ଅଧିକାରୀଙ୍କ ଜରିଆରେ ଲିଖିତ ଅଭିଯୋଗ ହୋଇଛି। ସୂଚନାଅନୁସାରେ ବିବାହ ପୂର୍ବରୁ ନାରୀକଟା ଗ୍ରାମର ବୁଲୁ କୁମ୍ଭାରଙ୍କୁ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ଉଠେଇ ନେଇଥିବା ଏନେଇ ବିଭିନ୍ନ ଖବର କାଗଜରେ ଖବର ପ୍ରସାରିତ ହୋଇଥିଲା।
ଏହାକୁ ଆକ୍ଷେପ କରି ଆଜି ବ୍ଲକ୍ର ସାମ୍ବାଦିକ ବିଶାଳଙ୍କୁ ଫୋନ ମାଧ୍ୟମରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ରାଜ କିଶୋର ଡାଙ୍ଗ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବେଳେ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସାମ୍ବାଦିକ ଦେବେନ୍ଦ୍ର ଯୋଶୀ, ତରୁଣ ବେହେରା, ରାଖାଲ ସତପଥୀ, ଆଲୋକ ସାହୁ, ପ୍ରମୋଦ ସେଲମା, ଦୀପକ ଅଗ୍ରୱାଲ, ଅଭିନାଶ ନନ୍ଦ, ରଞ୍ଜନ ବାଗ, ପ୍ରଶାନ୍ତ ମେହେର, ନାରାୟଣ ସାହୁ, ଅଜିତ ସାହୁ ପ୍ରମୁଖ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି।
ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଅବନୀ ସାହୁ ତଦନ୍ତ କରୁଛନ୍ତି। ତେବେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ବାଦିକ ମହଲରେ ଦାବି ହେଉଛି।