ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ସୁଦ୍ଧା ସହସ୍ରାଧିକ ନିର୍ଦ୍ଦୋଷ ନାଗରିକ ପ୍ରାଣ ହରାଇଥିବା ବେଳେ ୧୭ ଲକ୍ଷରୁ ଉର୍ଦ୍ଧ୍ୱ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେଲେଣି । ଇତିମଧ୍ୟରେ ଆମେରିକାର ଏକ ଟିଭି ଚ୍ୟାନେଲକୁ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଇଣ୍ଟରଭ୍ୟୁ ଦେଇଛନ୍ତି । ଜେଲେନସ୍କି କହିଛନ୍ତି ଯେ, ଯେଉଁ ଲୋକମାନେ ମୋତେ ଚୟନ କରିଛନ୍ତି ସେମାନେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ନାହାନ୍ତି । ମିସାଇଲକୁ ନଷ୍ଟ କରିବା ପାଇଁ ନୋ ଫ୍ଲାୟ ଜୋନର ଆବଶ୍ୟକତା ରହିଛି ବୋଲି ମୁଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛି । ମୋତେ ଲାଗୁଛି ଆମେରିକା ରାଷ୍ଟ୍ରପତି ଏହାଠୁ ଅଧିକ କରିପାରିବେ ।
ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କୁ ନେଇ ଜେଲେନସ୍କି କହିଛନ୍ତି ଯେ, ତାଙ୍କ ଆଡ଼ୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ସେ ଶେଷ କରିପାରିବେ । ପୁତିନଙ୍କ ତରଫରୁ ଆସିଥିବା ପ୍ରସ୍ତାବ ଗ୍ରହଣଯୋଗ୍ୟ ନୁହେଁ । ଏହା ରାଷ୍ଟ୍ରକୁ ବିନାଶ କରିଦେବ।