ଭାରତୀୟ ଉଦ୍ଧାର ନେଇ ଅରିନ୍ଦମ ବାଗ୍‌ଚୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ଦିନକୁ ଦିନ ଆହୁରି ଭୀଷଣ ହେବାରେ ଲାଗିଛି। ଋଷ ପକ୍ଷରୁ ୟୁକ୍ରେନର ରାଜଧାନୀ ସମେତ ଦ୍ବିତୀୟ ବୃହତ ସହର ଖାର୍କିଭ୍‌ରେ ବୋମା ସହ ମିସାଇଲ ଆକ୍ରମଣକୁ ଜୋରଦାର କରିଛି। ଏପଟେ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ସମସ୍ତ ପ୍ରକାର ମେକାନିଜିମ୍‌ ଲଗେଇ ଦେଇଛନ୍ତି କେନ୍ଦ୍ର ସରକାର।

ସେହିପରି ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ କଲ ଜରିଆରେ କଥା ହୋଇଥିଲେ। ଏଥିସହ ଆମେ ସମସ୍ତ ଦେଶ ସହ ଯୋଗଯୋଗରେ ଥିବା ବେଳେ ସ୍ବତନ୍ତ୍ର ଭାବରେ ଋଷ ଓ ୟୁକ୍ରେନ ସହ ଯୋଗାଯୋଗରେ ରହିଛୁ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି। ଏହା ସହିତ ୟୁକ୍ରେନର ପଶ୍ଚିମାଞ୍ଚଳରେ ଫସି ରହିଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ସମସ୍ତ ଚେଷ୍ଟା ଜାରି ରହିଛି।

ସେହିଭଳି ସୋମବାର କିଭ୍‌ରେ ଥିବା ଭାରତୀୟ ଦୂତାବାସକୁ ଲିଭ୍‌କୁ ସ୍ତାନାନ୍ତର କରାଯାଇଛି ବୋଲି ଅରିନ୍ଦମ ବାଗ୍‌ଚି କହିଛନ୍ତି। ତେବେ ଭାରତୀୟ ଦୂତାବାସ ବନ୍ଦ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଏହା ଲିଭ୍‌ରେ ସମ୍ପର୍ଣ୍ଣ କାର୍ଯ୍ୟକ୍ଷମ ଚାଲୁଥିବା ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ସମସ୍ତ ବ୍ୟବସ୍ଥା ଜାରି ରଖିଛି।

ଅନ୍ୟପଟେ ୟୁକ୍ରେନରେ ଦୁଇ ଭାରତୀୟଙ୍କ ଭିନ୍ନ ଭିନ୍ନ ପରିସ୍ଥିତିରେ ମୃତ୍ୟୁ ହୋଇଛି ବୋଲି ବାଗ୍‌ଚୀ କହିଛନ୍ତି। ତେବେ ଆମେ ଏ ସମ୍ପର୍କରେ ୟୁକ୍ରେନ ଦୂତାବାସ ସହ କଥା ଜାରି ରଖିଛୁ। ଏହା ସହିତ ନବୀନର ମୃତଦେହକୁ ଭାରତ ଆଣିବା ପାଇଁ ବନ୍ଦୋବସ୍ତ କରୁଛୁ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ସ୍ପଷ୍ଟ କରିଛନ୍ତି।