ଉତ୍ତର ପ୍ରଦେଶ ନିର୍ବାଚନ: ୫ମ ପର୍ଯ୍ୟାୟରେ ଆଜି ଆମେଥୀ-ପ୍ରୟାଗରାଜ ସମେତ ୬୧ ଆସନରେ ଭୋଟିଂ

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ୫ମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ ଆମେଥୀ ଓ ପ୍ରୟାଗରାଜ ସମେତ ୧୨ଟି ଜିଲ୍ଲାର ୬୧ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ଆସନ ଗୁଡ଼ିକରେ ମୋଟ ୬୯୨ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ । ଆଜି ସୁଲତାନପୁର, ଚିତ୍ରକୁଟ, ଗୋଣ୍ଡା, ବହରାଇଚ, ଶ୍ରାୱସ୍ତି, ରାୟବରେଲି, ପ୍ରତାପଗଡ଼, କୌଶମ୍ବି ଓ ବାରବାଙ୍କୀ ଜିଲ୍ଲାରେ ମତଦାନ ଜାରି ରହିଛି।

ପଞ୍ଚମ ପର୍ଯ୍ୟାୟର ମତଦାନ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଯୋଗୀ ସରକାରରେ ମନ୍ତ୍ରୀ ମୋତି ସିଂହ, ନନ୍ଦ ଗୋପାଳ ଗୁପ୍ତା, ସିଦ୍ଧାର୍ଥ ନାଥ ସିଂହ, ରମାପତି ଶାସ୍ତ୍ରୀ, ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେହିପରି କଂଗ୍ରେସର ଆରାଧନା ମିଶ୍ର ମୋନା ଓ ଜନସତ୍ତା ଦଳର ସଭାପତି ରଘୁରାଜ ପ୍ରତାପ ସିଂହ ଓରଫ ରାଜା ଭୈୟାଙ୍କ ସହିତ ଅପନା ଦଳର ସଭାପତି କୃଷ୍ଣା ପଟେଲଙ୍କ ଭାଗ୍ୟ ଭୋଟ ବାକ୍ସ ଭିତରେ ବନ୍ଦ ହୋଇଯିବ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ। ଏଥିରୁ ଏପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ମତଦାନ ସରିଛି। ଗତ ୧୦ ତାରିଖ ଠାରୁ ମତଦାନ ଆରମ୍ଭ ହୋଇଥିଲା। ଚଳିତ ମାସ ୧୪, ୨୦ ଓ ୨୩ରେ ପର୍ଯ୍ୟାୟ କ୍ରମେ ମତଦାନ ହୋଇଥିଲା। ୬ଷ୍ଠ ପର୍ଯ୍ୟାୟରେ ମାର୍ଚ୍ଚ ୩ ଓ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମାର୍ଚ୍ଚ ୭ରେ ଭୋଟ ଗ୍ରହଣ କରାଯିବ। ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ।