ଉତ୍ତରପ୍ରଦେଶ ନିର୍ବାଚନ: ବିଜେପି ୩୦୦ ଟି ସିଟ୍ ଜିତିବ; ଗତ ଚାରିଟି ପର୍ଯ୍ୟାୟରେ ଏସପି-ବିଏସପି ହାରିସାରିଲେଣି-ଅମିତ ଶାହା

ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୃଢ଼ ବିଶ୍ୱାସ ଜାହିର କରିଛନ୍ତି ଯେ ଭାରତୀୟ ଜନତା ଦଳ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୪୦୩ ସିଟ୍‌ରୁ ୩୦୦ରୁ ଉର୍ଦ୍ଧ ସିଟ୍‌ରେ ବିଜୟ ଲାଭ କରିବ। ଏଥି ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଗତ ଚାରୋଟି ପର୍ଯୟାୟ ନିର୍ବାଚନରୁ ଏହା ଜଣାପଡୁଛି କି ସମାଜବାଦୀ ପାର୍ଟୀ ଏବଂ ବହୁଜନ ସମାଜବାଦୀ ପାର୍ଟ ନିର୍ବାଚନ ହାରି ସାରିଛନ୍ତି।

ସେ କହିଛନ୍ତି, “ମୁଁ ଗତ ଚାରିଟି ପର୍ଯ୍ୟାୟରେ ମତଦାନରେ ୟୁପି ଭ୍ରମଣ କରିଛି। ମୁଁ କହିପାରିବି ଯେ ଏସପି ଏବଂ ବିଏସପି ବର୍ତ୍ତମାନ ସୁଦ୍ଧା ମତଦାନକୁ ଦେଖି ନିର୍ବାଚନରେ ହାରିଛନ୍ତି। ୩୦୦ ରୁ ଅଧିକ ସିଟ୍ ବିଶିଷ୍ଟ ବିଜେପି ପୁଣିଥରେ ୟୁପିରେ ସରକାର ଗଠନ କରିବ।” କୌଶମ୍ବୀରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବା ସମୟରେ ଏମିତି କହିଛନ୍ତି ଅମିତ ଶାହା।

ବିରୋଧୀ ଦଳକୁ ଆହୁରି ନିନ୍ଦା କରିବା ସହ ଶାହା ଅଭିଯୋଗ କରିଛନ୍ତି ଯେ ଏସପି ଏବଂ ବିଏସପି ହେଉଛି ଦଳ ଯେଉଁମାନେ ଜାତିବାଦ ଏବଂ ରାଜବଂଶର ରାଜନୀତି କରନ୍ତି। ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଆପତ୍ତିଜନକ ରାଜନୀତିରେ ଲିପ୍ତ ଥିଲେ। ମାଫିଆ ଏବଂ ବାହୁବଲୀ ଏସପି ଏବଂ ବିଏସପି କାର୍ଯ୍ୟକାଳରେ ଶାସନ କରୁଥିଲେ।

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଶେଷ ଚାରିଟି ପର୍ଯ୍ୟାୟରେ ୪୦୩ ବିଧାନସଭା ଆସନ ମଧ୍ୟରୁ ୨୩୨ ଟିରେ ମତଦାନ ହୋଇଛି। ରାଜ୍ୟରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ଏବଂ ମାର୍ଚ୍ଚ ୧୦ରେ ଭୋଟ୍ ଗଣନା ହେବ।