ସଇଁନ୍ତଲାର ୨୭୨ ବୁଥରେ ଶେଷ ହେଲା ମତଦାନ, ଭୋଟ ଦେବାକୁ ଆସି ମହିଳାଙ୍କ ମୃତ୍ୟୁ 

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୨୨ଟି ପଞ୍ଚାୟତରେ ଶାନ୍ତି ପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଛି । ଆଜି ସକାଳୁ ଲମ୍ବା ଲାଇନରେ ଛିଡ଼ା ହୋଇ ଲୋକେ ଭୋଟ ଦେଇଥିଲେ । ବ୍ଲକର ୨୭୨ଟି ବୁଥରେ ୮୫ ହଜାରରୁ ଅଧିକ ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି । ଅବାଧ ନିର୍ବାଚନ ପାଇଁ ବ୍ଲକରେ ୪ ଭାରପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ସହ ୫ ଡିଏସପି ପ୍ୟାହା ଅଧିକାରୀ,୧୦ ଥାନାଧିକାରୀ ଓ ବହୁ ସଂଖ୍ୟାରେ ଏଏସଆଇ ୨୩ଟି ଭ୍ରାମ୍ୟମାଣ ଯାନ ସହ କଡ଼ାକଡ଼ି ପେଟ୍ରୋଲିଂ କରିଥିଲେ । ବ୍ଲକର ୨୨ଟି ପଞ୍ଚାୟତରେ ୯୯ ସରପଞ୍ଚ, ୮୨ ସମିତି ସଭ୍ୟ ପ୍ରାଥିୀ, ୨୭୨ଟି ୱାର୍ଡସଭ୍ୟ ପଦରୁ ୭୮ ଆସନ ପାଇଁ ଭୋଟିଂ ହୋଇଛି ।

ଅନ୍ୟପଟେ ବ୍ଲକର କେରମେଳି ପଞ୍ଚାୟତ ବନାରସ ଗ୍ରାମର ଗୋଲାପି ମହାକୁର(୪୦)ଭୋଟ ଦେବା ପାଇଁ ଆସିଥିଲେ । ଏହି ସମୟରେ ଲାଚୁଟ ବୁଥଠାରେ ହଠାତ ତଳେ ପଡ଼ି ଯାଇଥିଲେ । ପରେ ପରିବାର ଲୋକେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।