ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ବୈଦନାଥ ଛକ ନିକଟରେ ଥିବା ଏକ ସୁନା ଦୋକାନରେ କଳାକନା ବୁଲାଇଲେ ଲୁଟେରା। ସହରର ବୈଦ୍ୟନାଥ ଛକ ନିକଟସ୍ତ ମୁନ୍ଦ୍ରା ଜ୍ବେଲର୍ସକୁ ଗ୍ରାହକ ବେଶରେ ଆସି ଲୁଟେରା ପାଖାପାଖି ୩୦୦ ଗ୍ରାମ ସୁନାଗହଣା ଥିବା ବାକ୍ସ ଲୁଟ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଦୁଇ ଜଣ ଅଜଣା ବ୍ୟକ୍ତି ଏକ ସ୍କୁଟିରେ ଆସି ସୁନା ଗହଣା ଦୋକାନରେ ପହଞ୍ଚିଥିଲେ। ଦୋକାନରୁ ସୁନା କିଣିବା ବାହାନାରେ ଆସି ୩୦୦ ଗ୍ରାମ ସୁନା ଥିବା ଏକ ଗହଣା ବାକ୍ସକୁ ସାଥିରେ ଧରି ଫେରାର ହୋଇଯାଇଥିଲା। ପରେ ସୁନା ଦୋକାନୀ ଜଣକ ଜାଣିବା ପରେ ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ତେବେ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଗହଣା ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଲୁଟ୍ ହୋଇଥିବା ସୁନା ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ତେବେ ଦୋକାନକୁ ଗ୍ରାହକ ବେଶରେ ଆସିଥିବା ଲୁଟେରା ଜଣକ ଟୋପି ପିନ୍ଧିଥିବା ବେଳେ ଲୁଟେରାର ଗହଣା ଦୋକାନ ବାହାରେ ଛିଡା ହୋଇଥିବା ଅନ୍ୟ ସହଯୋଗୀ ଜଣକ ହେଲମେଟ୍ ପିନ୍ଧିଥିବା ଜଣାପଡିଛି।