ପଞ୍ଜାବ ନିର୍ବାଚନର ୨ ଦିନ ପୂର୍ବରୁ ସିଖ ସମୁଦାୟର ପ୍ରମୁଖ ଲୋକଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ସିଖ ସମୁଦାୟର ପ୍ରମୁଖ ଲୋକଙ୍କୁ ଆତିଥ୍ୟ ପ୍ରଦାନ କରିଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନର ୨ ଦିନ ପୂର୍ବରୁ ଏହି ଭେଟଘାଟ ହୋଇଛି । ଏଥିରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ଅକାଳୀ ଦଳର ସୁଖଦେବ ସିଂହ ଢୀଂଢ଼ସା ଉପସ୍ଥିତ ଥିଲେ । ପଞ୍ଜାବରେ ସରକାର ଗଢ଼ିବା ପାଇଁ ବିଜେପି ଉପରୋକ୍ତ ୨ ଦଳ ସହ ମହାମେଣ୍ଟ କରିବା ଲାଗି ଆପ୍ରାଣ ଉଦ୍ୟମ ଚଲାଇଛି ।

ପ୍ର୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିବା ସିଖ ସମୁଦାୟର ଲୋକଙ୍କ ମଧ୍ୟରେ ଦିଲ୍ଲୀ ଗୁରୁଦ୍ୱାର ସମିତି ଅଧ୍ୟକ୍ଷ ହରମୀତ ସିଂହ କାଲକା, ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ବାବା ବଲବୀର ସିଂହ ସୀଚେବାଲ, ସେବାପନ୍ଥୀ, ଯମୁନା ନଗର ମହନ୍ତ କରମଜୀତ ସିଂହ, କରନାଲରେ ଡେରା ବାବା ଜଙ୍ଗ ସିଂହର ବାବା ଜୋଗା ସିଂହ ଓ ଅମୃତସରରେ ମୁଖୀ ଡେରା ବାବା ତାରା ସିଂହ ପ୍ରମୁଖ ସାମିଲ ଥିଲେ ।

ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନ ଆସନ୍ତା ୨୦ ତାରିଖରେ ହେବ । ଆଜି ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ । ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଦୃଷ୍ଟିରେ ରଖି ବୁଧବାର ପଠାନକୋଟ ଓ ଗୁରୁବାର ଅବୋହରରେ ରାଲି କରିଥିଲେ ।