ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଘୋଷଣାପତ୍ର ଜାରି କରିଛି । ଏହି ସମୟରେ ମଞ୍ଚରେ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ, ପ୍ରଦେଶ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ, ପ୍ରଭାରୀ ହରିଶ ଚୌଧୁରୀ ଓ ପବନ ଖେଡ଼ା ଉପସ୍ଥିତ ଥିଲେ । ୧୩ ପଏଣ୍ଟ ବିଶିଷ୍ଟ ଘୋଷଣାପତ୍ରରେ କଂଗ୍ରେସ ପଞ୍ଜାବ ଜନତାଙ୍କୁ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି । କଂଗ୍ରେସ ସରକାର ଗଢ଼ିବା ମାତ୍ରକେ ୧ ଲକ୍ଷ ଚାକିରି ଦେବ ବୋଲି କହିଛି । ମାଗଣା ସିଲିଣ୍ଡର, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଦେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି । ବୟସ୍କଙ୍କ ପେନସନ ୩୧୦୦ କରାଯିବ । ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ । ସରକାର ତୈଳବୀଜ, ମକା ଓ ଡାଲିର ସମ୍ପୂର୍ଣ୍ଣ ଫସଲକୁ କିଣିବେ । ଦ୍ୱାଦଶ ପାସ୍ କରୁଥିବା ଛାତ୍ରୀଙ୍କୁ ୨୦ ହଜାର ଟଙ୍କା ଓ ସ୍କୁଟି ପ୍ରଦାନ କରାଯିବ । ମନରେଗା ମାଧ୍ୟମରେ ୧୫୦ ଦିନ ପର୍ଯ୍ୟନ୍ତ ମଜୁରି ଦିଆଯିବ ଏବଂ ଦୈନିକ ଶ୍ରମିକ ୩୫୦ ଟଙ୍କା ପ୍ରଦାନ କରାଯିବ । ଇନ୍ସପେକ୍ଟର ରାଜ ଶେଷ କରାଯିବ । ସରକାର ଆପଣଙ୍କ ଦ୍ୱାରରେ ରହିବେ । ସରକାରୀ କାଗଜପତ୍ର ଘରେ ପହଞ୍ଚାଯିବ ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ କହିଛନ୍ତି ଯେ, ପ୍ରଥମ ହସ୍ତାକ୍ଷର ସହ ୧ ଲକ୍ଷ ଚାକିରି ଦେବି । ୫ ବର୍ଷରେ ୫ ଲକ୍ଷ ଚାକିରି ପ୍ରଦାନ କରିବୁ ।
ନଭଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ, ୧୩ ପଏଣ୍ଟ ଏଜେଣ୍ଡା ରହିଛି ଯାହାକି ବାବା ନାମରେ ପ୍ରଭାବିତ । ଆମ ପ୍ରଚାର ସକାରାତ୍ମକ ପ୍ରଚାର । ପଞ୍ଜାବ ପାଇଁ କ’ଣ କରିବୁ ତାହା ଆମେ କହୁଛୁ । ଗଛର ଫଳ ଆସିଲାଣି, ଆଉ ଆମେ ଲୋକଙ୍କୁ ଫଳ ଖୁଆଇବାକୁ ଚାହୁଁଛୁ ।