ବିଜେଡି ସମର୍ଥକଙ୍କ ଘରେ ପଶି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଆକ୍ରମଣ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରିଆମାଳ ବ୍ଲକର ୨ଟି ଜିଲ୍ଲା ପରିଷଦ ଆସନ, ୨୬ଟି ଲେଖାଏଁ ସରପଞ୍ଚ ଓ ସମିତି ସଦସ୍ୟ ଆସନ ପାଇଁ ଅନୁଷ୍ଠିତ ହେଉଛି । କିନ୍ତୁ ନିର୍ବାଚନରେ ପରାଜୟ ସୁନିଶ୍ଚିତ ଜାଣି ବିଜେପି ଜିଲ୍ଲାରେ ରକ୍ତମୁଖା ହୋଇ ପଡ଼ିଛି । ତିଳେଇବଣି ବ୍ଲକ ଜୋନ ୨ ଅଞ୍ଚଳ ଅନ୍ତର୍ଗତ ସୁଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀପୋଷି ଗ୍ରାମର ଜଣେ ବିଜେଡି ସମର୍ଥକ କ୍ଷିତୀଶ ସାହୁଙ୍କୁ ଗତକାଲି ସନ୍ଧ୍ୟାରେ ବିଜେପି କର୍ମୀ ନିସ୍ତୁକ ପିଟି ଲହୁ ଲୁହାଣ କରିଥିଲେ । ଆଉ ଆଜି ସକାଳୁ ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମର ଅମୀର କୁମାର ସାହୁଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ, ତାଙ୍କ ଭାଇ ତରୁଣ କୁମାର ସାହୁ, ବରୁଣ କୁମାର ସାହୁ, ବିରାଜ କୁମାର ସାହୁ, ପୁତୁରା ଅଜୟ କୁମାର ସାହୁ ଓ ରାଜେନ୍ଦ୍ର ପ୍ରାସାଦ ସାହୁ ପ୍ରମୁଖ ଅମୀରଙ୍କ ଘର ଭିତରକୁ ପଶି ତାଙ୍କୁ ଆକ୍ରମଣ କରିଥିଲେ । ପରିବାରର ମହିଳା ସଦସ୍ୟମାନେ ଏହାର ପ୍ରତିବାଦ କରିବାରୁ ବିଜେପି ନେତା ଅରୁଣ ତାଙ୍କ ଭାଇ ଓ ପୁତୁରାଙ୍କ ସହ ମିଶି ସଂଘବଦ୍ଧ ଭାବେ ମହିଳାଙ୍କୁ ଟଣାଓଟରା କରିବା ସହ ଘରୁ ବାହାରିଲେ ହତ୍ୟା କରିବା ଧମକ ଦେଇଥିବା ନେଇ ଅମୀର ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଉଭୟ ବାରକୋଟ ଓ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।