ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ ଋଷିଆ ଉତ୍ତେଜନା ମୂଳକ ସ୍ଥିତି ଆଫଗାନ ସଂକଟ, ହିନ୍ଦ-ପ୍ରଶାନ୍ତ ମହାସାଗରରେ ଚୀନର ବିସ୍ତାରବାଦ ନୀତି ଓ ମହାମାରୀ କୋରନା ସଂକଟ ମଧ୍ୟରେ ଆରମ୍ଭ ହୋଇଛି କ୍ବାଡ ବୈଦେଶିକ ମନ୍ତ୍ରୀ ସମ୍ମିଳନୀ।
ସମ୍ମିଳନୀରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାଗ ନେଇ ଭାରତର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ଦାୟିତ୍ବ ଉପରେ ସ୍ପଷ୍ଟ ମତ ରଖିଛନ୍ତି। ଜୟଶଙ୍କର କହିଛନ୍ତି ଆମେ ବର୍ତ୍ତମାନର ସଂକଟ ସମୟରେ ମାନବ ଜାତିର ସୁରକ୍ଷା ପାଇଁ ଚାଲିଥିବା ଟିକା କରଣକୁ ଅନ୍ତିମରୁ ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ଓ କ୍ବାଡର ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଯୋର ଦେଇଛୁ। ଜୟଶଙ୍କର ଆହୁରି କହିଛନ୍ତି ଆମେ ଚତୁର୍ଥ କ୍ବାଡ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ବିଭିନ୍ନ ବୈଶ୍ବୟିକ ସଂକଟକୁ ନେଇ ଆଲୋଚନା କରିଛୁ । ବିଶେଷ କରି କୋରନାକୁ ପରାସ୍ତ ପାଇଁ ସମସ୍ତ କ୍ବାଡ ରାଷ୍ଟ୍ର ଏକସ୍ବରରେ ସହମତ ହୋଇଛନ୍ତି।
ସେହିପରି ଜୟଶଙ୍କର କହିଛନ୍ତି ଆମେ ଆମର ଏସିଆନ ଭାଗିଦାରୀଙ୍କ କ୍ଷେତ୍ରରେ ଶାନ୍ତି, ମୈତ୍ରୀ, ସ୍ଥିରତା ଓ ବିକାଶକୁ ସମୃଦ୍ଧି କରିବା ପାଇଁ ଆମର(କ୍ବାଡ) ସମର୍ଥନ ଜାରି ରଖିବୁ। ଏହାସହ ସେ କହିଛନ୍ତି ଆମେ ଏମିତି ଏଜେଣ୍ଡା ନିର୍ମାଣ କରୁଛୁ ଯେଉଁଥିରେ ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳର ଦୃଷ୍ଟିକୋଣକୁ ଆଗକୁ ବଢାଇବ। ଆମେ ସମସାମୟିକ ମୁଦ୍ଦାକୁ ପୂରଣ କରିପାରୁଥିବା ସାମୁହିକ ପ୍ରୟାସ ମାଧ୍ୟମରେ ହିନ୍ଦ-ପ୍ରଶାନ୍ତ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଆର୍ଥିକ ସମୃଦ୍ଧିକୁ ଆଗକୁ ବଢାଇବାକୁ ଇଛୁକ।
ସେହିଭଳି ଜୟଶଙ୍କର କହିଛନ୍ତି ଆମ (କ୍ବାଡ) ମଧ୍ୟରେ ହୋଇଥିବା ଆଲୋଚନାରୁ ସ୍ପଷ୍ଟ ହେଉଛି ଯେ କ୍ବାଡ ସମ୍ବନ୍ଧିତ ଦେଶ ମଧ୍ୟରେ ମଜବୁଥ ଦ୍ବିପାକ୍ଷିକ ସମ୍ପର୍କ, ରଣନୀତି, ଆଭ୍ୟନ୍ତରୀଣ ସମ୍ପର୍କ, ଲୋକତାନ୍ତ୍ରିକ ମୁଲ୍ୟବୋଧ କ୍ବାଡକୁ ଏକ ଜୀବନ୍ତ ଓ ପର୍ଯ୍ୟାପ୍ତ ଢାଞ୍ଚା ସୃଷ୍ଟି କରିବାରେ ସହଯୋଗ କରିବ।
ଅନ୍ୟପଟେ ସମସ୍ତ କ୍ବାଡ ରାଷ୍ଟ୍ର ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଆମେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବ ଉଲ୍ଲଙ୍ଘନ କରୁଥିବା ଉତ୍ତର କୋରିଆର ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣୁ ବିରୋଧ ସହ ନିନ୍ଦା କରୁଛୁ। ଏହାବାଦ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ପଠାନକୋଟ ଆକ୍ରମଣ ସହ ଭାରତ ଉପରେ ହେଉଥିବା ଆତଙ୍କି ଷଡଯନ୍ତ୍ରକୁ ମଧ୍ୟ ନିନ୍ଦା କରୁଛୁ। ଏହାସହ ୟୁଏନ୍ଏସ୍ସିର ପ୍ରସ୍ତାବ ସଂଖ୍ୟା ୨୫୯୩(୨୦୨୧) ଅନୁସାରେ ଆଫଗାନିସ୍ତାନ ମାଟି କୌଣସି ଦେଶ ବିରୋଧରେ ବ୍ୟବହାର ହେବନାହିଁ ଆଶା କରୁଛୁ। ଏହାସହ ଆନ୍ତଃରାଷ୍ଟ୍ରୀୟ ଆଇନକୁ ସମ୍ମାନ ଦେଉଛୁ ବୋଲି ମିଳିତ ବିବୃତ୍ତିରେ କୁହାଯାଇଛି।