ବେଙ୍ଗାଲୁରୁ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ ପାଇଁ ଆଜିଠାରୁ ବିଶାଳ ନିଲାମୀ ପ୍ରକ୍ରିୟା ଆରମ୍ଭ ହେଉଛି। ବେଙ୍ଗାଲୁରୁ ଠାରେ ଫେବୃଆରୀ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ଏହି ନିଲାମୀ ପ୍ରକ୍ରିୟାରେ ପ୍ରାୟୋଜକମାନେ ଶ୍ରେୟସ ଆୟର ଓ ଶାର୍ଦ୍ଦୁଲ ଠାକୁରଙ୍କ ଉପରେ ମଧ୍ୟ ନଜର ରଖିବେ। ଗୁଜରାଟ ଟାଇଟନ୍ସ ଓ ଲଖନଉ ସୁପରଜିଆଣ୍ଟସ୍ ଏଥର ନୂଆ ଦଳ ଭାବେ ଆଇପିଏଲ୍ରେ ଯୋଗଦେବେ। ଦୁଇ ଦିନିଆ ନିଲାମୀରେ ମୋଟ ୫୯୦ ଜଣ କ୍ରିକେଟରଙ୍କ ନାଁରେ ନିଲାମୀ ହେବ, ଯେଉଁଥିରେ ୨୨୦ ଜଣ ଅଛନ୍ତି ବିଦେଶୀ ଖେଳାଳି। ୩୭୦ ଜଣ ଭାରତୀୟ ଖେଳାଳି ଆଗାମୀ ଆଇପିଏଲ୍ ଖେଳିବେ।
ଏଥର ୧୦ରୁ ଅଧିକ କ୍ରିକେଟରଙ୍କ ନାଁରେ ୧୦ କୋଟିରୁ ଅଧିକ ଟଙ୍କାର ନିଲାମୀ ହୋଇପାରେ। କିଛି ଖେଳାଳିଙ୍କ ନାଁରେ ପାଖାପାଖି ୨୦ କୋଟି ଟଙ୍କା ମଧ୍ୟ ନିଲାମୀ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି। ଅୟର ସବୁଠାରୁ ମହଙ୍ଗା ଖେଳାଳି ହୋଇପାରନ୍ତି। ଶାର୍ଦ୍ଦୁଲ ଠାକୁର ଓ ଈଶାନ କିଶନଙ୍କ ଉପରେ ମଧ୍ୟ ପ୍ରାୟାଜକମାନେ ସ୍ୱତନ୍ତ୍ର ଦୃଷ୍ଟି ପକାଇବେ। ମହେନ୍ଦ୍ର ସିଂହ ଧୋନୀ (ଚେନ୍ନାଇ ସୁପର କିଙ୍ଗ୍ସ), ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର) ଓ ରୋହିତ ଶର୍ମା (ମୁମ୍ବାଇ ଇଣ୍ଡିଆନ୍ସ)କୁ ତାଙ୍କର ଟିମ୍ ରଖିବ।
ବିଦେଶୀ ଖେଳାଳିଙ୍କ କଥା ଯଦି କହିବା, ତା’ହେଲେ ଡେଭିଡ ୱାର୍ଣ୍ଣର ଫର୍ମରେ ଅଛନ୍ତି ଏବଂ ଅଷ୍ଟ୍ରେଲିଆର ଏହି ଓପନରଙ୍କ ମୂଲ୍ୟ ଅଧିକ ରହିପାରେ। ସେ ଓପନର ସହିତ ଅଧିନାୟକ ପାଇଁ ମଧ୍ୟ ଦାବିଦାର ଅଟନ୍ତି। ୱାର୍ଣ୍ଣର ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦକୁ ଟ୍ରଫି ଦେଇଥିଲେ। ୱାର୍ଣ୍ଣରଙ୍କ ବ୍ୟତୀତ ଜେସନ ହୋଲ୍ଡର ଓ ଦକ୍ଷିଣ ଆଫ୍ରିକୀୟ ଖେଳାଳି କ୍ୱିଣ୍ଟନ ଡି’କକ୍ଙ୍କ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିବ। ସେହିପରି କାଗିସୋ ରାବଡାଙ୍କୁ କେତେ ଟଙ୍କାରେ ନିଲାମୀ କରାଯିବ ତାହା ମଧ୍ୟ ଦେଖିବାର ଅଛି।