ପୁରୀ,ଏନ୍ଏନ୍ଏସ୍: ଓଡି଼ଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତୃତୀୟ ଥର ପାଇଁ ରାଷ୍ଟ୍ରପତି ପୁରୀକୁ ଗସ୍ତ କରୁଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ଆଜି(ଶୁକ୍ରବାର) ଅନୁଧ୍ୟାନ କରିଛନ୍ତି ପୁଲିସ ଆଇଜି ନରସିଂହ ଭୋଳ। ଗୌଡୀୟ ମଠ ଓ ଶରଧାବାଲିରେ ଏସପି କେ. ବିଶାଲ ସିଂହଙ୍କ ସହ ମିଶି ଆଇଜି ଅନୁଧ୍ୟାନ କରିଛନ୍ତି।
ଆସନ୍ତା ୧୯ ତାରିଖ ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦର ଓ ପରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ ରାଷ୍ଟ୍ରପତି। ଏହାପରେ ସନ୍ଧ୍ୟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ଦର୍ଶନ ସାରି ଫେରିବେ। ତେବେ ୨୦ ତାରିଖ ସକାଳ ପୂର୍ବାହ୍ନରେ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡିୟ ମଠ ଯାଇ ପରିଦର୍ଶନ କରିବେ ରାଷ୍ଟ୍ରପତି। ଏହାପରେ ୧୧ଟାରେ ଶରଧାବାଲିରେ ଆୟୋଜିତ ଚୈତନ୍ୟ ଗୌଡିୟ ମଠର ପ୍ରତିଷ୍ଠାତା ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ ତମ ଆବିର୍ଭାବ ମହୋତ୍ସବ।
ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ସମାରୋହ ତଥା ବିଶ୍ବ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗ ଦେବେ। ଏହାପରେ ସେହି ୨୦ ତାରିଖରେ ରାଷ୍ଟ୍ରପତି ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥାନ୍ତି। ତାଙ୍କର ସୁରକ୍ଷା ବ୍ୟବସ୍ଥା ସହ ଶୃଙ୍ଖଳିତ ଗସ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି।