ଉତ୍ତର ପ୍ରଦେଶ ବିଧାସଭା ନିର୍ବାଚନ: ୬୨୩ ପ୍ରାର୍ଥୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟର ମତଦାନ ଜାରି

ଲଖନଉ,ଏଜେନ୍ସି: ବହୁ ପ୍ରତିକ୍ଷିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ  ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି। କରୋନା କାରଣରୁ ନିର୍ବାଚନ ଆୟୋଗ ମତଦାନର ସମୟ ୧ ଘଣ୍ଟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ପ୍ରଥମ ପର୍ଯାୟରେ ୧୧ଟି ଜିଲ୍ଲାରେ ୫୮ଟି ବିଧାନସଭା ଆସନରେ ମତଦାନ ଜାରି ରହିଛି। ଏଥିରୁ ୧୨ଟି ଆସନ ସମ୍ବେଦନଶୀଳ ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥି ମଧ୍ୟରୁ କିଛି ସ୍ଥାନରେ ଡ୍ରୋନ୍‌ରେ ପରିସ୍ଥିତି ଉପରେ ନଜର ରଖାଯାଉଛି। ସମ୍ବେଦନଶୀଳ ଆସନ ଗୁଡ଼ିକ ହେଲା ଖୈରାଗଡ଼, ଫତେହାବାଦ, ଆଗ୍ରା (ଦକ୍ଷିଣ), ବାହ, ଛାତା, ସରଘନା, ମେରଠ ସହର, ଛପରୌଲି, ବଡୌତ, ବାଗପତ ଓ କୈରାନ।

ନିର୍ବାଚନ ଲାଗି ରାଜନୈତିକ ଦଳ ଗୁଡ଼ିକ ଯେତିକି ତତ୍ପରତା ଦେଖାଉଛନ୍ତି। ନବାଗତ ଭୋଟରମାନେ ମଧ୍ୟ ଉତ୍ସାହିତ ଦେଖାଯାଉଛନ୍ତି। ରାଜ୍ୟର ବହୁ ସ୍ଥାନରେ ମତଦାତା ମାନେ ଆଜି ୭ଟା ପୂର୍ବରୁ ପହଞ୍ଚି ସାରିଛନ୍ତି। ଉତ୍ତର ପ୍ରଦେଶରେ ଶୀତଲହରୀ ଜାରି ଥିବା ବେଳେ ମତଦାତାମାନେ ଏହାକୁ ଖାତିର କରୁ ନାହାନ୍ତି।

ମତଦାନ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ୭୯୬ କଂପାନୀକୁ ମୁତୟନ କରାଯାଇଛି। ୭୨୪ କଂପାନୀ ବୁଥରେ ମୁତୟନ ରହିବେ। ୧୫ କଂପାନୀ ଷ୍ଟ୍ରଙ୍ଗ ରୁମରେ ରହିବେ। ସେହିପରି ୫ଟି କଂପାନୀ ଇଭିଏମ ସୁରକ୍ଷା, ୬୬ କଂପାନୀ ଆଇନ କାନୁନ ପାଇଁ ମୁତୟନ ରହିବେ। ଏହା ବ୍ୟତୀତ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ପିଏସିର ୨୭ କଂପାନୀ ପ୍ରଥମ ପର୍ଯ୍ୟାୟ ପାଇଁ ମୁତୟନ କରାଯିବେ। ପୁଲିସର ୯୪୬୪ ଇନ୍ସପେକ୍ଟର ଓ ଏଏସ୍‌ଆଇ ରେଙ୍କ ଅଧିକାରୀ, ୫୯ ହଜାର ୩୦ ଜଣ କନଷ୍ଟେବଳ, ୪୮ ହଜାର ୧୩୬ ହୋମଗାର୍ଡ, ୫୦୫ ପିଆରଡି ଯବାନ ଓ ୬୦୬୧ ଗାଁର ଚୌକିଦାର ପ୍ରଥମ ପର୍ଯ୍ୟାୟର ମତଦାନରେ ନିୟୋଜିତ ରହିବେ। ପ୍ରଥମ ପର୍ଯ୍ୟାୟରେ ୨.୨୭ କୋଟି ମତଦାତା ୬୨୩ ଜଣ ପ୍ରାର୍ଥୀଙ୍କୁ ଭୋଟ ଦେବେ।