ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ପୁରୀ ରାଜକୁମାରୀ

ପୁରୀ,ଏନ୍ଏନ୍ଏସ୍: ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କ ହାତ ଧରିଛନ୍ତି ପୁରୀ ରାଜାକୁମାରୀ ଦେବେଶୀ। ଗଜପତି ମହାରାଜାଙ୍କ ଚତୁର୍ଥ କନ୍ୟା ଦେବେଶୀଙ୍କ ବିବାହ ବୁଧବାର ରାଜକୀୟ ରୀତିନୀତି ଅନୁଯାୟୀ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଛି। ବରଯାତ୍ରୀଙ୍କୁ ଶୁଦ୍ଧ ଶାକାହାରୀ ଓଡ଼ିଆ ଖାଦ୍ୟରେ ଆପ୍ୟାୟିତ କରାଯାଇଛି। କୋଭିଡ କଟକଣା ସହ ସିମିତ ସଂଖ୍ୟକ ନିମନ୍ତ୍ରୀତ ଅତିଥୀଙ୍କୁ ନେଇ ବର୍ଣ୍ଣାଢ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।

ଯୋଡ଼ି ଶଙ୍ଖ, ମହୁରୀ, ପୁରୀ ନାଗା, ମେଢ, ସିଂହବାଦ୍ୟର ତାଳେ ତାଳେ ରୋଶଣି କରି ବର ବେଶରେ ଆସିଥିଲେ ରାଜକୁମାର ଆଦିତ୍ୟ। ରାଜକୀୟ ପରମ୍ପରାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କୋଭିଡ୍ କଟକଣା ପାଇଁ ବିଶେଷ ଧୁମ୍‌ଧାମରେ ବିବାହ ହୋଇ ପାରି ନ ଥିଲା। ତେଣୁ ସ୍ଵଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ବିବାହ କାର‌୍ୟ୍ୟ ସମ୍ପନ୍ନ ହୋଇଛି। ଉକ୍ତ ବିବାହରେ ଢେଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ, ପାଟଣାଗଡ଼ ରାଜା କନକ ବର୍ଦ୍ଧନ ସିହଦେଓ, ଆଳି ରାଜା ପ୍ରତାପ ଦେବ, କଳାହାଣ୍ଡି ରାଜା ଅର୍କେଶ ଦେଓ, ଦେବଗଡ ବାମଣ୍ଡା ରାଜା ନୀତୀଶ ଗଙ୍ଗଦେବ ଏବଂ ଖଣ୍ଡପଡା ରାଜା ସିଦ୍ଧାର୍ଥ ଶେଖର ମର୍ଦ୍ଦରାଜ ଯୋଗ ଦେଇଥିଲେ।

ସେହିପରି ଶ୍ରୀନଅରରେ ମଧ୍ୟ ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀ, ମନ୍ଦିର ପରିଚାଳନା କମିଟି, ବରିଷ୍ଠ ସେବାୟତ ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସୂଚନାଯୋଗ୍ୟ , ବର୍ଦ୍ଧମାନ ରାଜ ପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ମଙ୍ଗଳବାର ପୁରୀରେ ପହଞ୍ଚିଥିଲେ। ସନ୍ଧ୍ୟାରେ କୋଭିଡ କଟକଣା ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ନୀଳଗିରି ରାଜ ପରିବାର ସଦସ୍ୟ ଜୋସ୍ନା ଦେବୀ ମନ୍ଦିରାଜ ଯୋଗ ଦେଇଛନ୍ତି। ସହରରେ ରାଜାଘର ବିବାହ ଶୋଭାଯାତ୍ରା ଦେଖିବା ପାଇଁ ପ୍ରବଳ ଗହଳି ହୋଇଥିଲା।