ଆଇପିଏଲ୍‌ ୨୦୨୨: ନୂଆ ଅହମ୍ମଦାବାଦ ଟିମର ନାମ ଅହମ୍ମଦାବାଦ ଟାଇଟାନ୍‌ସ

ଅହମ୍ମଦାବାଦ,ଏଜେନ୍ସି: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ନୂଆ ଫ୍ରାଞ୍ଚାଇଜ ଭାବେ ଅଂଶଗ୍ରହଣ କରିବାକୁ ଯାଉଥିବା ଅହମ୍ମଦାବାଦ ଟିମର ନାମ ଘୋଷଣା ହୋଇଛି। ‘ଅହମ୍ମଦାବାଦ ଟାଇଟାନ୍‌ସ’ ଭାବେ ନୂଆ ଟିମର ନାମ ରହିଛି। ଆଇପିଏଲ୍‌-୨୦୨୨ର ମେଗା ଖେଳାଳି ନିଲାମରେ ନୂଆ ଫ୍ରାଞ୍ଚାଇଜ ଅଂଶଗ୍ରହଣ କରିବ।

ଅହମ୍ମଦାବାଦ ଟାଇଟାନ୍‌ସର କୋଚିଂ ଷ୍ଟାଫ୍‌ ଚୂଡାନ୍ତ ହୋଇଛି। ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହେରା ଓ ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ର ଗ୍ୟାରୀ କ୍ରୀଷ୍ଣନ ମୁଖ୍ୟ କୋଚ୍‌ ଭାବେ ଦାୟିତ୍ବ ତୁଲାଇବେ। ପୂର୍ବତନ ଇଂଲଣ୍ଡ ବ୍ୟାଟ୍‌ର ବିକ୍ରମ ସୋଲାଙ୍କି ଟିମର ନିର୍ଦ୍ଦେଶକ ଭାର ତୁଲାଇବେ। ଏହା ଦ୍ବିତୀୟ ଥର ହେବ ଯେ ଏହି ତିନି ପ୍ରମୁଖ କୋଚିଂ ଅଧିକାରୀ ଏକତ୍ର ଗୋଟିଏ ଟିମରେ ନଜର ଆସିଛନ୍ତି। ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରେ ଏହି ତିନି ଭେଟେରାନ କାର୍ଯ୍ୟ କରିସାରିଛନ୍ତି।

ଅହମ୍ମଦାବାଦ ଟିମ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୫ କୋଟି, ରସିଦ ଖାନଙ୍କୁ ୧୫ କୋଟି ଓ ଶୁଭମନ ଗିଲ୍‌ଙ୍କୁ ୮ କୋଟିରେ କିଣି ଟିମରେ ସାମିଲ କରିଛି। ଆଇପିଏଲ୍‌ ୨୦୨୨ ସିଜିନରେ ଅହମ୍ମଦାବାଦ ଟିମ ପାଣ୍ଡ୍ୟାଙ୍କୁ ନେତୃତ୍ବ ଭାରତ ପ୍ରଦାନ କରିଛି। ଫଳରେ ୫୨ କୋଟି ନିଲାମୀ ଅର୍ଥ ସହ ମେଗା ଖେଳାଳି ନିଲାମରେ ଅଂଶଗ୍ରହଣ କରିବ ଅହମ୍ମଦାବାଦ। ଆସନ୍ତା ଫେବୃଆରୀ ୧୨ ଓ ୧୩ରେ ବେଙ୍ଗାଲୁରୁରେ ଆଇପିଏଲ୍‌ ୨୦୨୨ ମେଗା ଖେଳାଳି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।