ମଶାଣି ପାଇଁ ଭୋଟ ବର୍ଜନ ଚେତାବନୀ

ବାଲିଗୁଡା,ଏନ୍ଏନ୍ଏସ୍: ରାଜନେତା ଓ ପ୍ରଶାସନଙ୍କ ପ୍ରତିଶୃତି ପାଣିର ଗାର, ମଶାଣି ନାହିଁ ତ ଭୋଟ ନାହିଁ ନାରା ଦେଇଛନ୍ତି ବାଲିଗୁଡା ଏନ୍‌ଏସିର ୩ ୱାର୍ଡ଼ବାସୀ। ବାଲିଗୁଡା ଏନ୍‌ଏସିର ସର୍ବ ବୃହତ୍ତ ସାହି ରୂପେ ପରିଚିତ ନୂଆସାହିର ୫, ୬ ଓ ୭ ନମ୍ବର ୱାର୍ଡ ବାସୀଙ୍କ ପାଇଁ ସ୍ଥାୟୀ ମଶାଣି ଆଜି ପର୍ଯ୍ୟନ୍ତ ହୋଇନାହିଁ। ଦୀର୍ଘ ବର୍ଷ ହେବ ଓ୍ବାର୍ଡବାସିନ୍ଦାଙ୍କ ପାଇଁ ମଶାଣି ଚି଼ହ୍ନଟ ହୋଇନଥିବାରୁ ଲୋକେ ମଶାଣିରେ ଘର କରି ରହିଲେଣି। ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଜମି ମାଫିଆଙ୍କ କବଳରେ ମଶାଣି। ଧୀରେ ଧୀରେ ମଶାଣି ଜମି ସଂକୁଚିତ ହେଉଛି।

ମଶାଣିରେ ଶବଗୃହ, ଆଲୋକ ଓ ପାଣି ବ୍ୟବସ୍ଥା ଆଦୌନାହିଁ। ତିନି ୱାର୍ଡ଼ରେ ବସବାସ କରୁଥିବା ୬ ହଜାରରୁ ଊର୍ଦ୍ଧ୍ବ ଲୋକେ ଖରା ବର୍ଷା ଶୀତରେ ୱାର୍ଡବାସୀ ଶବଦାହ କରିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁଇ ବର୍ଷତଳେ ବିଏସ୍‌ଏଫ୍‌ ଯବାନ ଶହିଦ ଦିନେଶ ପାତ୍ରଙ୍କ ଶେଷକୃତ୍ୟ ସମୟରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଏବଂ ତତ୍କାଳୀନ ଉପଜ଼ିଲ୍ଲାପାଳ ଉପସ୍ଥିତ ଥିଲେ।

ୱାର୍ଡ଼ବାସୀଙ୍କ ଅଭିଯୋଗ କ୍ରମେ ଖୁବ୍‌ଶୀଘ୍ର ମଶାଣିର ଜମି ଚି଼ହ୍ନଟ, ଶବଗୃହ, ପାଚେରୀ, ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ତାଙ୍କର ସବୁ ପ୍ରତିଶୃତି ପାଣିର ଗାର ପାଲଟିଛି। ତୁରନ୍ତ ମଶାଣିରେ କାମ ନହେଲେ ଆଗାମୀ ପୌର ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଏହି ତିନି ୱାର୍ଡବାସୀ।