ମୁମ୍ବାଇ: ସୁପରମାର୍କେଟରେ ମଦ ବିକ୍ରିକୁ ଅନୁମତି ଦେଇଥିବା ମହାରାଷ୍ଟ୍ର ସରକାରଙ୍କ ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇତିମଧ୍ୟରେ ସମାଜସେବୀ ଅନ୍ନା ହଜାରେ ଏହି ପଦକ୍ଷେପ ବିରୋଧରେ ମହାରାଷ୍ଟ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି। ଉକ୍ତ ପତ୍ରରେ ସରକାରଙ୍କ ପଦକ୍ଷେପକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିବେ ବୋଲି ଅନ୍ନା ହଜାରେ ଚେତାବନୀ ଦେଇଛନ୍ତି । ଏହାପୂର୍ବରୁ ମଧ୍ୟ ଅନ୍ନା ହଜାରେ ସରକାରଙ୍କ ଏହି ପଦକ୍ଷେପକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଥିଲେ ।
ଅନ୍ନା ହଜାରେ କହିଥିଲେ କି, ସୁପରମାର୍କେଟରେ ମଦକୁ ଅନୁମତି ଦେବା ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ପଦକ୍ଷେପ । ନିଶାମୁକ୍ତି ଦିଗରେ କାମ କରିବା ସରକାରଙ୍କ କର୍ତ୍ତବ୍ୟ । କିନ୍ତୁ ବିତ୍ତୀୟ ଲାଭ ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା ଦେଖି ମୋତେ ଦୁଃଖ ଲାଗୁଛି । ଏହାର ପରିମାଣସ୍ୱରୂପ ମଦ ପିଇବା ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଯିବ ।