ସଇଁନ୍ତଲା,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଜୋରଦାର ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଟିଟିଲାଗଡ଼ ବିଜେଡି କାର୍ଯ୍ୟାଳୟରେ ଓଡ଼ିଶା ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ବିଜେପି କର୍ମୀ ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରି ବିଜେଡିରେ ଯୋଗ ଦେଇଥିଲେ । ପରେ ମନ୍ତ୍ରୀ ଟୁକୁନି ସାହୁ ସଇଁନ୍ତଳା ବ୍ଲକର ଟିକ୍ରାପଡ଼ା ଅଞ୍ଚଳକୁ ଯାଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ ।
ସେହିପରି ଆଜି ଶିଶକେଲାଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ଜିଲ୍ଲା ସମ୍ପାଦକ ଡୋଳାମଣୀ ଥପା, ମନ୍ତ୍ରୀଙ୍କ ପ୍ରତିନିଧି ରାଜେଶ ବେହେରା, ବିଜେଡି ନେତା ଅଖିଳ ରଣା, ପବିତ୍ର ସାହୁ ଓ ଜୟ ସିଂ ରଣାଙ୍କ ଉପସ୍ଥିତିରେ ଶତାଧିକ କର୍ମୀ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ।