ବେଙ୍ଗାଲୁରୁରେ ଭାରତ-ଶ୍ରୀଲଙ୍କା ଦିବାରାତ୍ର ଟେଷ୍ଟ୍‌

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଗୋଟିଏ ମ୍ୟାଚ୍ ଦିବାରାତ୍ର ବିଶିଷ୍ଟ ହେବ ଓ ଏହି ମ୍ୟାଚ୍‌ଟି ବେଙ୍ଗାଲୁରୁରେ ଖେଳାଯିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର୍ ସିରିଜ୍ ଖେଳିବା ପରେ ଘରୋଇ ଭାରତ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ସହ ୩ଟି ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭାରତ ଘରୋଇ ମାଟିରେ ତୃତୀୟ ଥର ପାଇଁ ପିଙ୍କ୍ ବଲ୍‌ରେ ଟେଷ୍ଟ୍ ମ୍ୟାଚ୍ ଖେଳିବ।

ପୂର୍ବରୁ ଦଳ ପ୍ରଥମ ପିଙ୍କ୍ ବଲ୍ ମ୍ୟାଚ୍‌ଟି କୋଲ୍‌କାତାରେ ବାଂଲାଦେଶ ବିପକ୍ଷରେ ୨୦୧୯ ନଭେମ୍ବରରେ ଖେଳିଥିଲା। ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିବାରାତ୍ର ଟେଷ୍ଟ୍‌ଟି ଗତ ୨୦୨୧ ଫେବୃଆରୀରେ ଇଂଲଣ୍ଡ ବିପକ୍ଷରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳିସାରିଛି। ତେବେ ନିର୍ଦ୍ଦିଷ୍ଟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୨୫ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ୍‌ର କାର୍ଯ୍ୟକ୍ରମରେ କେତେକ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି। ସିରିଜ୍‌ର ଆରମ୍ଭ ଟେଷ୍ଟ ମ୍ୟାଚ୍ ପରିବର୍ତ୍ତେ ଲକ୍ଷ୍ନୌରେ ଟି-୨୦ ମ୍ୟାଚ୍‌ରୁ ହୋଇପାରେ। ଏହାପରେ ବାକି ଟି-୨୦ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ।

ସେହିପରି ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌ଟି ମୋହାଲିରେ ଖେଳାଯାଇପାରେ। ବେଙ୍ଗାଲୁରୁ ଟେଷ୍ଟ ଭାରତରେ ତୃତୀୟ ଦିବାରାତ୍ର ଟେଷ୍ଟ ହେବ। ଏଥିସହ ମୋହାଲିରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବତନ କ୍ୟାପ୍‌ଟେନ୍ ବିରାଟ କୋହଲିଙ୍କ ପାଇଁ ସ୍ୱତନ୍ତ୍ର ରହିବ। ଏହି ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବା ମାତ୍ରେ କୋହଲି ଭାରତ ପକ୍ଷରୁ ଶହେ ଟେଷ୍ଟ ଖେଳିଥିବା କ୍ରିକେଟର୍‌ଙ୍କ ସୂଚୀରେ ସାମିଲ ହେବେ। ଏଥିସହ ସେ ଏ କ୍ଷେତ୍ରରେ ଭାରତର ଦ୍ୱାଦଶ ଖେଳାଳି ହୋଇପାରିବେ।

ଏହି ସିରିଜ୍‌ର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଦିନେ ଦୁଇଦିନ ମଧ୍ୟରେ ହୋଇପାରେ। ବିସିସିଆଇ ଏବେ ଏହା ଉପରେ ବିଚାର କରୁଛି। ଏହି ସିରିଜ୍‌ରେ ଟିମ୍ ଇଣ୍ଡିଆ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମଧ୍ୟ ଖେଳିବ। ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ୧-୨ରେ ପରାଜୟ କରିବାରୁ ଟିମ୍ ଇଣ୍ଡିଆ ଟେଷ୍ଟ୍ ଟିମ୍‌ର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ତେଣୁ ଏବେ ବିସିସିଆଇ ତାଙ୍କ ଉତ୍ତରାଧିକାରୀ ଭାବେ କାହାକୁ ନିଯୁକ୍ତି ଦେବ, ତା’ ଉପରେ ବିଚାରବିମର୍ଶ ଜାରି ରଖିଛି।