ଆଇସିସି ଅଣ୍ଡର-୧୯ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ୯୬ ରନ୍‌ରେ ପରାସ୍ତ, କ୍ରମାଗତ ଚତୁର୍ଥ ଫାଇନାଲ୍‌ରେ ଭାରତ

ଆଣ୍ଟିଗୁଆ,ଏଜେନ୍ସି: ସ୍ଥାନୀୟ କୁଲିଜ୍ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ୯୬ ରନ୍‌ରେ ହରାଇ ଭାରତ କ୍ରମାଗତ ଚତୁର୍ଥ ତଥା ସର୍ବମୋଟ ଅଷ୍ଟମ ଥର ପାଇଁ ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ୍‌ରେ ପ୍ରବେଶ କରିଛି। କ୍ୟାପ୍‌ଟେନ୍ ୟଶ୍ ଧୂଲ୍‌ଙ୍କ ଶତକ (୧୧୦) ଏବଂ ଭାଇସ୍ କ୍ୟାପ୍‌ଟେନ୍ ଶେଖ୍ ରଶିଦ୍‌ଙ୍କ ଅର୍ଦ୍ଧଶତକ (୯୪) ଇନିଂସ୍ ସହାୟତାରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ୍ ହରାଇ ୨୯୦ ରନ୍ କରିଥିଲା।

ଜବାବରେ ଅଷ୍ଟ୍ରେଲିଆ ଟିମ୍ ୪୧.୫ ଓଭର୍‌ରେ ମାତ୍ର ୧୯୪ ରନ୍ ମଧ୍ୟରେ ସୀମିତ ହୋଇଯାଇଥିଲା। ଲାଚ୍‌ଲନ୍ ଶ’ ସର୍ବାଧିକ ୫୧ ରନ୍ କରିଥିଲେ। ଭାରତ ପକ୍ଷରୁ ଭିକି ଓସୱାଲ୍ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହା ବ୍ୟତୀତ ରବି କୁମାର ଓ ନିଶାନ୍ତ ସିନ୍ଧୁଙ୍କ ୨ଟି ଲେଖାଏଁ ସଫଳତା ମିଳିଥିଲା। ଆହୁରି ରଘୁବଂଶୀ ଓ କୌଶଲ ତାମ୍ବେଙ୍କ ଖାତାକୁ ଗୋଟିଏ ଲେଖାଏଁ ୱିକେଟ୍ ଆସିଥିଲା। ଧୂଲ୍‌ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଆସନ୍ତା ୫ ତାରିଖର ଫାଇନାଲ୍‌ରେ ଭାରତ ଇଂଲଣ୍ଡକୁ ଭେଟିବ। ପୂର୍ବରୁ ପ୍ରଥମ ସେମିରେ ଆଫଗାନିସ୍ତାନକୁ ହରାଇ ଇଂଲଣ୍ଡ ପ୍ରଥମ ଟିମ୍ ଭାବେ ଫାଇନାଲ୍‌ରେ ପହଞ୍ଚିସାରିଛି।

ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ୩୭ ରନ୍‌ରେ ଦୁଇ ଓପ୍ନର୍ ଅଙ୍ଗକ୍ରିଶ ରଘୁବଂଶୀ (୬) ଓ ହର୍‌ନୁର୍ ସିଂହ (୧୬)ଙ୍କ ୱିକେଟ୍ ହରାଇଥିଲା। ଏହାପରେ ଧୂଲ୍ ଓ ରଶିଦ୍ ଇନିଂସ ସମ୍ଭାଳିବା ସହ ତୃତୀୟ ୱିକେଟ୍ ପାଇଁ ୨୦୪ ରନ୍‌ର ପାର୍ଟନର୍‌ଶିପ୍ କରି ଟିମ୍‌କୁ ଏକ ବଡ଼ ସ୍କୋର୍ ଆଗେଇ ନେଇଥିଲେ। ତେବେ ଦୁର୍ଭାଗ୍ୟଜନକ ଭାବେ ଧୂଲ୍ ରନ୍‌ଆଉଟ୍ ହୋଇଥିଲେ। ସେତେବେଳକୁ ସେ ୧୧୦ ବଲ୍‌ରେ ୧୦ ଚୌକା ଓ ଗୋଟିଏ ଛକା ସହାୟତାରେ ୧୧୦ ରନ୍ କରିଥିଲେ। ସେହିପରି ୧୦୮ଟି ବଲ୍‌ର ସମ୍ମୁଖୀନ ହୋଇ ରଶିଦ୍ ୮ ଚୌକା ଓ ଗୋଟିଏ ଛକା ବଳରେ ୯୪ ରନ୍ କରିଥିଲେ।

୨୯୧ ରନ୍‌ର ରେକର୍ଡ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆକୁ ରବି କୁମାର ପ୍ରଥମ ଧକ୍କା ଦେଇଥିଲେ। ସେ ଓପ୍ନର୍ ଟିଗ୍ ୱିଲି(୧)ଙ୍କୁ ଏକ ଇନ୍‌ସୁଇଙ୍ଗର୍ ବଲ୍‌ରେ ଆଉଟ୍ କରିଥିଲେ। ତେବେ କ୍ୟାମ୍ପ୍‌ବେଲ୍ କିଲାୱେ (୩୦) ଓ କୋରୀ ମିଲର୍ (୩୮) ୬୮ ରନ୍‌ର ପାର୍ଟନର୍‌ଶିପ୍ କରି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉଭୟ ମାତ୍ର ୬ଟି ବଲ୍ ମଧ୍ୟରେ ଆଉଟ୍ ହେବା ଫଳରେ ଭାରତର ସ୍ଥିତି ଅଧିକ ମଜଭୁତ ହୋଇପାରିଥିଲେ। ମିଲର୍‌ଙ୍କୁ ଆଉଟ୍ କରି ରଘୁବଂଶୀ ଏହି ଭାଗୀଦାରୀରେ ବ୍ରେକ୍ ଲଗାଇଥିଲେ। ଓସୱାଲ୍ ପରବର୍ତ୍ତୀ ଓଭର୍‌ରେ କ୍ୟାମ୍ପ୍‌ବେଲ୍‌ଙ୍କୁ ନିଜ ଜାଲରେ ଫସାଇଥିଲେ। ଫଳରେ ଅଷ୍ଟ୍ରେଲିଆର ସ୍କୋର୍ ୩ ୱିକେଟ୍‌ରେ ୭୩ ରନ୍ ରହିଥିଲା। କ୍ୟାପ୍‌ଟେନ୍ କୁପର୍ କୋନୋଲୀ (୩)ଙ୍କୁ ନିଶାନ୍ତ ସିନ୍ଧୁ ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ଇନିଂସ୍ ଭୁଶୁଡ଼ି ପଡ଼ିଥିଲା ଏବଂ ପରେ ଦଳ ଏଥିରୁ ନିଜକୁ ମୁକୁଳାଇ ନ ପାରି ୪୧.୫ ଓଭର୍‌ରେ ୧୯୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।