ମହିଳା ଆଶେସ୍ ବଜାୟ ରଖିଲା ଅଷ୍ଟ୍ରେଲିଆ

କାନବେରା,ଏଜେନ୍ସି: ଅଷ୍ଟ୍ରେଲିଆ ମହିଳା ଟିମ୍ ଆଶେସ୍ ଅର୍ନ ବଜାୟ ରଖିଛି। ଗୁରୁବାର ଅଷ୍ଟ୍ରେଲିଆ ଦଳ ଏଠାରେ ଖେଳାଯାଇଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହେବା ସହ ୮-୪ରେ ଅଗ୍ରଣୀ ଲାଭ କରି ଏହି ସଫଳତା ଅର୍ଜନ କରିଛି। ଗତ ମାସରେ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ପରେ ଆଡିଲେଡ୍‌ଠାରେ ୨ଟି ଟି-୨୦ ବର୍ଷା ଓ ଓଦା ପଡ଼ିଆ କାରଣରୁ ବାତିଲ୍ ହୋଇଯାଇଥିଲା। ସେହିପରି ସିରିଜ୍‌ରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ୍‌ରେ ଇଂଲଣ୍ଡ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଏହାକୁ ଡ୍ର’ ରଖିଥିଲା। ସେହିପରି ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୦୫ ରନ୍‌ର ଲକ୍ଷ୍ୟକୁ ଡିଫେଣ୍ଡ୍ କରିବା ଫଳରେ ଆଶେସ୍ ସିରିଜ୍‌ରେ ଅପରାଜେୟ ଅଗ୍ରଣୀ ଲାଭ କରିଛି।

ଚଳିତ ଦିନିକିଆ ସିରିଜ୍‌ର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜିତି ଇଂଲଣ୍ଡ ସିରିଜ୍ ବିଜୟୀ ହୋଇପାରେ, କିନ୍ତୁ ଏହା ଅଷ୍ଟ୍ରେଲିଆଠାରୁ ଆଶେସ୍ ଅର୍ନ ହାସଲ କରିପାରିବେ ନାହିଁ। ଆଶେସ୍ ଅର୍ନ ବଞ୍ଚାଇବା ସକାଶେ ଗୁରୁବାର ମ୍ୟାଚ୍‌ରେ ଇଂଲଣ୍ଡ ବିଜୟ ଆବଶ୍ୟକ କରୁଥିଲା। କିନ୍ତୁ ପ୍ରଥମେ ବ୍ୟାଟିଂ ପାଇ ଅଷ୍ଟ୍ରେଲିଆ ବେଥ୍ ମୂନୀଙ୍କ ୭୩ ରନ୍ (୮ ଚୌକା, ୧ ଛକା)ର ଇନିଂସ ବଳରେ ୨୦୫/୯ କରିଥିଲା। ଜବାବରେ ଅଷ୍ଟ୍ରେଲିଆର ଡାର୍ସି ବ୍ରାଉନ୍ ୪ଟି ୱିକେଟ୍ ନେବା ଫଳରେ ଇଂଲଣ୍ଡ ନାତାଲି ସ୍କିଭରଙ୍କ ୪୫ ଓ କାଥେରିନ୍ ବ୍ରଣ୍ଟ୍‌ଙ୍କ ଅପରାଜିତ ୩୨ ରନ୍‌ର ଇନିଂସ ସତ୍ତ୍ୱେ ୪୫ ଓଭର୍‌ରେ ୧୭୮ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ସିରିଜ୍‌ର ଦ୍ୱିତୀୟ ଓ ତୃତୀୟ ଦିନିକିଆ ଓଭାଲ୍‌ଠାରେ ଯଥାକ୍ରମେ ଫେବୃଆରୀ ୬ ଓ ୮ ତାରିଖରେ ଖେଳାଯିବ।