ଲୁକ୍ ଆଉଟ୍ ସର୍କୁଲାର ଜାରି, ଦୀପକ କିଣ୍ଡୋଙ୍କୁ ୱାଣ୍ଟେଡ୍ ଘୋଷଣା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶହେ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ କିଣ୍ଡୋଙ୍କ ପାଇଁ ଅଡୁଆ ବଢ଼ିଛି। ସେ ଦେଶ ଛାଡ଼ି ପଳାଇଯିବାର ସମ୍ଭାବନା ଥିବାରୁ ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରି ୱାଣ୍ଟେଡ ଘୋଷଣା କରିଛି। ଏନେଇ ଗୁରୁବାର ଇଓଡବ୍ଲୁ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଦୀପକଙ୍କ ବିରୋଧରେ ଇଓଡବ୍ଲୁ କେସ୍ ନଂ ୧୭/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ମାମଲାରେ ଦୀପକଙ୍କ ପତ୍ନୀ ଅମ୍ରିତା କିଣ୍ଡୋ ଗିରଫ ହୋଇଥିବାବେଳେ ସେ ଏବେ ଫେରାର୍ ଅଛନ୍ତି।

ଦୀପକ ଦେଶ ଛାଡ଼ିଯିବାର ସମ୍ଭାବନା ଥିବାରୁ ସମସ୍ତ ଚେକ୍ ପୋଷ୍ଟ, ବନ୍ଦର, ଏୟାରପୋର୍ଟକୁ ଆଲର୍ଟ କରାଯାଇଛି। ଏହି ଲୁକ୍ ଆଉଟ ସର୍କୁଲାର ନୋଟିସ ସମସ୍ତଙ୍କ ପାଖକୁ ପଠାଇ ଦିଆଯାଇଛି। ଦୀପକଙ୍କୁ ଦେଖିବା ମାତ୍ରକେ ଗିରଫ କରିବାକୁ ପୁଲିସ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ କୁହାଯାଇଛି। ଅନ୍ୟପକ୍ଷେ କେହି ଯଦି ଦୀପକଙ୍କୁ ଦେଖନ୍ତି, ତା’ହେଲେ ତାଙ୍କ ସମ୍ପର୍କରେ ଏହି ନମ୍ବରରେ – ୯୪୩୭୪୪୪୮୭୦ ସୂଚନା ଦେଇପାରିବେ। ଯିଏ ସୂଚନା ଦେବ ତାଙ୍କ ନାମକୁ ଗୋପନ ରଖାଯିବ। ଏଥିସହ ସମ୍ପୃକ୍ତ ସୂଚନାଦାତାଙ୍କୁ ଉଚିତ୍ ପୁରସ୍କାର ଦିଆଯିବ ବୋଲି ଇଓଡବ୍ଲୁ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ଋଣ ଦେବା ନାଁରେ ଜାଲ କାଗଜପତ୍ର ଦେଇ ବିଭିନ୍ନ ବ୍ୟାଙ୍କରୁ ଦୀପକ ଓ ତାଙ୍କ ପତ୍ନୀ ଅମ୍ରିତା ଋଣ ଆଣିଥିଲେ। ହେଲେ କୌଣସି ଋଣ ପ୍ରଦାନ ନକରି ସେହି ଟଙ୍କାକୁ ନିଜେ ଆତ୍ମସାତ କରୁଥିଲେ। ଏଭଳି ଭାବେ ବିଭିନ୍ନ ବ୍ୟାଙ୍କରୁ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକିଛନ୍ତି। ଏହି ଘଟଣାରେ ଇଓଡବ୍ଲୁ ଦିଭ୍ୟା ଡେଆରି ଏଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡର ଏମ୍‌ଡି ତଥା ଦୀପକଙ୍କ ପତ୍ନୀ ଅମ୍ରିତା କିଣ୍ଡୋଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଦୀପକ ମୁଖ୍ୟଅଭିଯୁକ୍ତ। ତେଣୁ ତାଙ୍କୁ ଧରିବାକୁ ଇଓଡବ୍ଲୁ ଚେଷ୍ଟା ଚଳାଇଛି। ପୂର୍ବରୁ ଏହି ଦମ୍ପତ୍ତି ହାଇଦ୍ରାବାଦ, କର୍ଣ୍ଣାଟକର ବିଭିନ୍ନ ବ୍ୟାଙ୍କରୁ ଋଣ ଠକେଇ କରିଛନ୍ତି। ଗତବର୍ଷ ଦୀପକଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ ମଧ୍ୟ କରିଥିଲା। ଏଥିସହ କର୍ଣ୍ଣାଟକ ପୁଲିସର ବିଭିନ୍ନ ଥାନାରେ ଏମାନଙ୍କ ବିରୋଧରେ ଏକାଧିକ ମାମଲା ରହିଛି।