ଓଡ଼ିଶାରେ ରେଳ ବିକାଶ ପାଇଁ ପ୍ରଚୁର ଅର୍ଥ: ଅଶ୍ୱିନୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷ ଓଡ଼ିଶା ସରକାର ରେଳ ବଜେଟ୍ ଆକାରରେ କେନ୍ଦ୍ର ଠାରୁ ୭,୬୦୦ କୋଟି ଟଙ୍କାର ଦାବି ରଖିଥିଲେ। ତେବେ କେନ୍ଦ୍ର ସରକାର ଏହାଠାରୁ ଢେର ଅଧିକ ୯,୭୩୪ କୋଟି ଟଙ୍କା ଦେଇଛନ୍ତି। ଯାହାକି ଓଡ଼ିଶା ଇତିହାସରେ ସର୍ବକାଳୀନ ରେକର୍ଡ଼ । ରାଜ୍ୟରେ ସବୁ ରେଳ ପ୍ରକଳ୍ପ କାମ ଦ୍ରୁତଗତିରେ ଚାଲିଛି। ଓଡ଼ିଶାରେ ରେଳ ବିକାଶ ପାଇଁ ପ୍ରଚୁର ଅର୍ଥ ରହିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀ ଠାରେ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ ୨୦୦୯ରୁ ୧୪ ମଧ୍ୟରେ ତତ୍କାଳୀନ ଉପା ସରକାର ଓଡ଼ିଶାକୁ ବାର୍ଷିକ ହାରାହାରି ୮୩୪ କୋଟି ଟଙ୍କା ରେଳ ବଜେଟ୍ ଆକାରରେ ଦେଇଥିଲେ। ହେଲେ ଚଳିତ ବର୍ଷ ମୋଦୀ ସରକାର ଏହାର ୧୦ ଗୁଣାରୁ ଅଧିକା ଟଙ୍କା ରାଜ୍ୟକୁ ଦେଇଛନ୍ତି। ୨୦୧୪ରୁ ୧୯ ମଧ୍ୟରେ ମୋଦୀ ସରକାର ରାଜ୍ୟକୁ ବାର୍ଷିକ ହାରାହାରି ୪,୧୨୬ କୋଟି ଟଙ୍କା ଦେଇଛନ୍ତି। ଯାହାକି ଉପା ସରକାର ଦେଇଥିବା ଅର୍ଥ ତୁଳନାରେ ୩୯୨% ଅଧିକ।

୨୦୧୯-୨୦ରେ ୪,୫୬୮ କୋଟି, ୨୦୨୦-୨୧ରେ ୫,୨୯୬ କୋଟି, ୨୦୨୧-୨୨ରେ ପ୍ରଥମେ ୫,୯୨୧ କୋଟି ଓ ପରେ ୫୫୦ କୋଟି(ମୋଟ ୬,୪୭୧ କୋଟି)ଟଙ୍କା ଓଡ଼ିଶାକୁ ରେଳ ବଜେଟ୍ ଆକାରରେ ମିଳିଛି। ଚଳିତ ବଜେଟ୍‌ରେ ଗତବର୍ଷ ତୁଳନାରେ ୭୬% ଅଧିକା ରାଶି ମିଳିଛି। ସମଗ୍ର ଦେଶରେ ୪୦୦ ‘ବନ୍ଦେ ଭାରତ’ ଦ୍ରୁତଗାମୀ ଟ୍ରେନ୍ ଗଡ଼ିବା ନେଇ ବଜେଟ୍‌ରେ ଘୋଷଣା ହୋଇଛି। ଓଡ଼ିଶାକୁ ମଧ୍ୟ ଏହି ଟ୍ରେନ୍ ଗଡ଼ିବ। ସେହିଭଳି କଳାହାଣ୍ଡି ରେଳ ୱାଗନ ଫ୍ୟାକ୍ଟ୍ରି ପାଇଁ ଏଯାଏଁ ୫୦% ଜମି ଅଧିଗ୍ରହଣ ହୋଇଛି ଏବଂ ବାକି ଜମି ରାଜ୍ୟ ସରକାର ଅଧିଗ୍ରହଣ କରି ଦେଲେ କାମ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଶୀଘ୍ର ଜମି ଅଧିଗ୍ରହଣ ଏବଂ ଜଙ୍ଗଲ କ୍ଲିୟରାନ୍ସ ମିଳିଲେ କାମ ଆହୁରି ଦ୍ରୁତଗତିରେ ଚାଲିବ ବୋଲି ସେ କହିଛନ୍ ।