ଆଇପିଏଲ୍‌-୨୦୨୨ର ନିଲାମ ପ୍ରକ୍ରିୟାରେ ସ୍ଥାନ ପାଇଲେ ଓଡ଼ିଶାର ଦୁଇ ଖେଳାଳି

କଟକ,ଏନ୍ଏନ୍ଏସ୍: ଫେବୃଆରୀ ୧୨ ଏବଂ ୧୩ ରେ ବେଙ୍ଗାଲୁରୁରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ -୨୦୨୨ ପାଇଁ ଦୁଇ ଦିନିଆ ମେଗା ନିଲାମରେ ଓଡ଼ିଶାର ୨ ଜଣ କ୍ରିକେଟର ସ୍ଥାନ ପାଇଛନ୍ତି। ଅଭିଷେକ ରାଉତ (ଅଲରାଉଣ୍ଡର) ଭାବରେ ସ୍ଥାନ ପାଇଥିବା ବେଳେ ସୁଭ୍ରାନ୍ସୁ ସେନାପତି (ବ୍ୟାଟ୍ସମ୍ୟାନ)ଭାବରେ ସ୍ଥାନ ପାଇଛନ୍ତି।

ଅଭିଷେକ ଏକ ଡାହାଣ ହାତର ବ୍ୟାଟ୍ସମ୍ୟାନ ଏବଂ ଲେଗ୍ ବ୍ରେକ୍ ବୋଲର ହୋଇଥିବାବେଳେ ସୁଭ୍ରାନ୍ସୁ ଏକ ଡାହାଣ ହାତି ବ୍ୟାଟର୍ ଏବଂ ପାର୍ଟ ଟାଇମ୍ ମଧ୍ୟମ ଗତି ବୋଲର ଅଟନ୍ତି । ଏହାପୂର୍ବରୁ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ପାଞ୍ଚଜଣ ଖେଳାଳି ଅଭିଷେକ ରାଉତ, ସୁଭ୍ରାନ୍ସୁ ସେନାପତି, ବିକାଶ ରାଉତ, ଜୟନ୍ତ ବେହେରା ଏବଂ ରାଜେଶ ମହାନ୍ତି– ଆଇପିଏଲ୍ ନିଲାମରେ ପଞ୍ଜୀକୃତ ହୋଇଥିଲେ।

ଏହାପୂର୍ବରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ ପ୍ଲେୟାର ନିଲାମ ତାଲିକା ଘୋଷଣା କରାଯାଇଥିଲା ଯେଉଁଥିରେ ନିଲାମ ସମୟରେ ମୋଟ ୫୯୦ କ୍ରିକେଟର ନିଲାମ ପ୍ରକ୍ରିୟାରେ ସାମିଲ ହେବେ। ଏହା ଆଇପିଏଲର ୧୫ ତମ ସଂସ୍କରଣ ହେବ ଏବଂ ବିଶ୍ୱ କ୍ରିକେଟ୍ ର କିଛି ବଡ ତାରକା ଏଥର କିଛି ବଡ ମୂଲ୍ୟରେ ନିଲାମ ହୋଇପାରନ୍ତି । ୫୯୦ ଖେଳାଳିଙ୍କ ମଧ୍ୟରେ ଯେଉଁମାନେ ନିଲାମ ପାଇଁ ପଞ୍ଜୀକୃତ କରିଛନ୍ତି, ସେମାନଙ୍କ ମଧ୍ୟରୁ ୨୨୮ ଜଣ କ୍ୟାପଟେଡ୍ ଖେଳାଳି, ୩୫୫ ଜଣ ଅନକ୍ୟାପ୍ ଖେଳାଳି ଏବଂ ୭ ଜଣ ବିଭିନ୍ନ ଦେଶର ଖେଳାଳୀ ଅଟନ୍ତି।