୧୯ ବର୍ଷରୁ କମ୍ ବିଶ୍ୱକପ୍‌: ସେମିଫାଇନାଲରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ। ଆଣ୍ଟଗୁଆସ୍ଥିତ କୁଲୀଜ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବ। ଅଷ୍ଟ୍ରେଲିଆ ଟିମ୍ ମଜବୁତ ପାକିସ୍ତାନ ଟିମ୍‌କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ତେଣୁ ସେମିଫାଇନାଲ ମ୍ୟାଚ ରୋମାଞ୍ଚକର ହୋଇପାରେ।

ଟିମ୍ ଇଣ୍ଡିଆ ୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୨୨ର ସେମିଫାଇନାଲରେ ପହଞ୍ଚିବା ପୂର୍ବରୁ ଗତ ଶନିବାର ଦିନ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା। ଭାରତୀୟ ଟିମ୍‌ର ବିଜୟରେ ବୋଲରଙ୍କ ବଡ଼ ଭୂମିକା ରହିଥିଲା, ଯେଉଁମାନେ କି ପ୍ରଶଂସନୀୟ ବୋଲି କରି ବାଂଲାଦେଶକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନଥିଲେ।

୧୧୨ ରନ୍ ଲକ୍ଷ୍ୟରେ ଭାରତ ନିଜର ଇନିଂସ ଆରମ୍ଭ କରିଥିଲା। ଭାରତ ବିନା କୌଣସି ରନ୍‌ରେ ହରମୁନ ସିଂହଙ୍କ ୱିକେଟ୍ ହରାଇଥିଲା। ଏହା ପରେ ଅଙ୍ଗକୃଷ୍ଣ ରଘୁବଂଶୀ ଓ ଉପଅଧିନାୟକ ଶେଖ୍ ରଶୀଦ ୭୦ ରନ୍‌ର ଭାଗିଦାରୀ ବଳରେ ଭାରତକୁ ଆଶ୍ୱସ୍ତି ପ୍ରଦାନ କରିଥିଲେ । ରଘୁବଂଶୀ ୬୫ଟି ବଲ ଖେଳି ୭ ଚୌକା ସମେତ ୪୪ ରନ୍ କରିଥିଲେ। ରଶୀଦ ୨୬ ରନ୍ ସଂଗ୍ରହ କରିଥିଲେ।

ମାତ୍ର ଏହି ଭାଗିଦାରୀ ପରେ ବି ବାଂଲାଦେଶ ୱିକେଟ ନେଇ ମ୍ୟାଚ ଜିତିବାକୁ ଉଦ୍ୟମ କରିଥିଲା। କିନ୍ତୁ ଭାରତ ୩୦.୫ ଓଭରରେ ୧୧୭ ରନ୍ ସଂଗ୍ରହ କରିବା ସହିତ ମ୍ୟାଚ ଜିତିଥିଲା। କୌଶିକ ତାମ୍ବେ ଦର୍ଶନୀୟ ଛକା ମାରି ଭାରତକୁ ବିଜୟ ଦେଇଥିଲେ। ବାଂଲାଦେଶ ପକ୍ଷରୁ ରିପୋନ ମଣ୍ଡଲ ସର୍ବାଧିକ ୪ ୱିକେଟ ନେଇଥିଲେ।