ଫାଣ୍ଡି ଅଧିକାରୀଙ୍କ ଗାଡ଼ି ଧକ୍କାରେ କର୍ମଚାରୀ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଗୋଏଲଭାଡ଼ି ଛକରେ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁଙ୍କ ଗାଡ଼ି ଧକ୍କାରେ ଗତକାଲି ବଡ଼ମାଲ ଗୋଳାବାରୁଦ କାରଖାନାର କର୍ମଚାରୀ ରମେଶ ନାଗଙ୍କ ମୃତ୍ୟୁ ହୋଇଛି । ଏନେଇ ପରିବାର ଲୋକେ ଆଜି କ୍ଷତିପୂରଣ ଦାବିରେ ସ୍ଥାନୀୟ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ । ଫଳରେ ଗାଡ଼ି ଚଳାଚଳ ୩ ଘଣ୍ଟା ପର୍ଯ୍ୟନ୍ତ ଠପ ହୋଇ ପଡ଼ିଥିଲା। ଅନ୍ୟପଟେ ପରିବାର ଲୋକେ ୨୫ ଲକ୍ଷ ଟଙ୍କା ସହ ଚାକିରି ଦେବା ପାଇଁ ଦାବି କରିଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେର, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଓ ଥାନାଧିକାରୀ ଅବନୀ ସାହୁ ପହଁଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ସୂଚନାଯୋଗ୍ୟ, ବଡ଼ମାଲ ଫାଣ୍ଡିଧିକାରୀ ସର୍ବେଶ୍ୱର ସାହୁ ନିଜ ୪ ଚକିଆ ଯୋଗେ ଟିଟିଲାଗଡ଼ ପଟୁ ଆସୁଥିବା ବେଳେ ବଡ଼ମାଲ କର୍ମଚାରୀ ରମେଶ ନାଗ ସେହି ପଟ ଦେଇ ଟିଟଲାଗଡ଼ ଯାଉଥିଲେ । ଏହି ସମୟରେ ଗୋଏଲଭାଡ଼ି ଛକରେ ଉଭୟ ଗାଡ଼ି ସାମ୍ନାସାମ୍ନି ହୋଇଥିଲେ । କାର ଧକ୍କା ଦେବା ଫଳରେ ବାଇକ ଆରୋହୀ ରମେଶ ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।