ରବି ନାରାୟଣ ସ୍ମାରକୀ ଚେସ୍‌ରେ ଅନଦକତ୍ ଚାମ୍ପିଅନ୍

ଭୁବନେଶ୍ୱର,ଏଜେନ୍ସି: ଓଡ଼ିଶା ରାଜ୍ୟ ଚେସ୍ ସଂଘ (ଓଏସ୍‌ସିଏ) ଓ ଡ. ରବି ନାରାୟଣ ଦାଶ ଫାଉଣ୍ଡେସନ୍ ପକ୍ଷରୁ ମିଳିତ ଭାବେ ଅନଲାଇନ୍‌ରେ ଅନୁଷ୍ଠିତ ହୋଇଯାଇଛି ପଞ୍ଚମ ଡ. ରବି ନାରାୟଣ ଦାଶ ସ୍ମାରକୀ ଚେସ୍ ଚାମ୍ପିଅନ୍‌ଶିପ୍। ଏଥିରେ ସାଢ଼େ ୬ ପଏଣ୍ଟ୍ ପାଇ ବୁକୋଲ୍‌ଜା ପଦ୍ଧତିରେ ଗୁଜରାଟର ଅନଦକତ୍ କର୍ତ୍ତବ୍ୟ ଚାମ୍ପିଅନ୍ ହୋଇଛନ୍ତି। ସେହିପରି ସାଢ଼େ ୬ ପଏଣ୍ଟ୍ ଲେଖାଏଁ ପାଇଥିବା ହାଇଦ୍ରାବାଦର ସୁରପନେନି ଚିଦଭିଳାସ ସାଇ ଓ ଚେନ୍ନାଇର ପ୍ରଣବ କେପି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ଏହାଛଡ଼ା ୬ ପଏଣ୍ଟ୍ ଲେଖାଏଁ ପାଇଥିବା କଟକର ହର୍ଷିତ ରଞ୍ଜନ ସାହୁ ଓ ଭୁବନେଶ୍ୱରର ସୌମ୍ୟ ରଞ୍ଜନ ମିଶ୍ର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହାଛଡ଼ା ୭ ବର୍ଷରୁ କମ୍‌, ୯ ବର୍ଷରୁ କମ୍‌, ୧୧ ବର୍ଷରୁ କମ୍‌, ୧୩ ବର୍ଷରୁ କମ୍ ଓ ୧୫ ବର୍ଷରୁ କମ୍ ବର୍ଗରେ ଯଥାକ୍ରମେ କୋଲ୍‌କାତାର ବିନୀତ ମହାପାତ୍ର, ବେଙ୍ଗାଲୁରୁର ଅକ୍ଷୟ ନାୟକ, ଡିପିଏସ୍ କଳିଙ୍ଗାର ଆଦିତ୍ୟ ବିକ୍ରମ ମିଶ୍ର, ସମ୍ବଲପୁରର ସାଇ ଅମ୍ରିତ ପରିଜା ଓ ଭୁବନେଶ୍ୱରର ସାହାନା ଲେଙ୍କା ସ୍ୱତନ୍ତ୍ର ପୁରସ୍କାର ଲାଭ କରିଛନ୍ତି। ଆହୁରି ବାଳିକା ବିଭାଗରେ ପୁରୀରେ ଅଦିତି ମୁଖାର୍ଜୀ ଓ ଶ୍ରେଷ୍ଠ ଭେଟେରାନ୍ ଖେଳାଳି ଭାବେ ସମ୍ବଲପୁରର ଦେବେନ୍ଦ୍ର କୁମାର ସାହୁ ମଧ୍ୟ ପୁରସ୍କୃତ ହୋଇଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଇଦ୍ରାବାଦସ୍ଥିତ ଇନ୍‌ଫୋସିସ୍‌ର ମ୍ୟାନେଜର୍ (ସଲ୍ୟୁସନ୍ କନ୍‌ସଲଟିଙ୍ଗ୍‌) ଆହ୍ୱାନ ପାଢ଼ୀ ଓ ଗଜପତି ଜିଲ୍ଲା ଅନ୍ତର୍ଗତ ଗରାବନ୍ଧ ଆଇଆଇସି ସର୍ବେଶ୍ୱର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାଛଡ଼ା ଦିବଂଗତ ରବି ନାରାୟଣ ଦାଶଙ୍କ ସୁପୁତ୍ର ଡ. ସୁବ୍ରତ ଦାଶ, ବୋହୂ ରତ୍ନା ଦାଶ, ନାତି ସୁମିତ ଦାଶ ଓ ସୁଜିତ ଦାଶ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ଦେବାଶିଷ ପାଣିଗ୍ରାହୀ ମୁଖ୍ୟ ଆର୍ବିଟର ଦାୟିତ୍ୱ ତୁଲାଇଥିଲେ।