ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶର କାନପୁର ସହରରେ ରବିବାର ବିଳମ୍ବତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବାବୁପୁରୱା ଥାନା ଅନ୍ତର୍ଗତ ଟାଟାମିଲ ଛକରେ ନିୟନ୍ତ୍ରଣ ହରାଇବାରୁ ଏକ ଇଲେକ୍ଟ୍ରିକ୍ ବସ ଟ୍ରାଫିକ୍ ପୋଷ୍ଟରେ ଧକ୍କା ମାରିଥିଲା। ଏହା ପରେ ରାସ୍ତାରେ ଯାତାୟତ କରୁଥିବା ଲୋକ ଏବଂ ଗାଡ଼ି ଚାଳକଙ୍କୁ ବସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଆହତ ଅନ୍ୟ ୪ ଜଣଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।
ବସ୍ଟି ଘଣ୍ଟାଘର ଠାରୁ କିଦୱିନଗର ପାଇଁ ବାହାରିଥିଲା। ଅଚାନକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣାର ସାମ୍ନା କରିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ବସ୍ର ଚାଳକ ଫେରାର ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଏକ ମାମଲା ରୁଜୁ କରି ଫେରାର ବସ୍ ଚାଳକକୁ ଖୋଜୁଛି।