ଦେବଗଡ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଳି ସେବା ସମବାୟ ସମିତିରେ ଚାଷୀଙ୍କ ଧାନ ମିଲର ନେଉ ନଥିବାରୁ ଅଞ୍ଚଳରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୁଧିଆନାଳି ସେବା ସମବାୟ ସମିତି ଅଧୀନରେ ୬୦୦ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ଆଜି ଯାଏଁ ମାତ୍ର ୧୬୦ ଚାଷୀ ଧାନ ବିକ୍ରି କରିଥିବା ଜଣା ପଡିଛି। ଅବଶିଷ୍ଟ ଚାଷୀ ଚଳିତ ଖରିଫ ଧାନ ବିକ୍ରିକରି ନପାରି ପ୍ରବଳ ଶୀତ କାକର ରେ ଏକ ସପ୍ତାହରୁ ଊର୍ଧ୍ଵ ଧରି ଧାନ ବିକ୍ରି ପାଇଁ ପଡି ରହିଥବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳରେ ଚାଷୀ ଅସନ୍ତୋଷ ଦେଖା ଦେଇଛି।
ଏହି ସେବା ସମବାୟ ସମିତି ଅଧୀନ ଚାଷୀଙ୍କ ଧାନ କ୍ରୟ ପାଇଁ ସମ୍ବଲପୁର ଜିଲ୍ଲାର ଭୋଳା ଶଙ୍କର ରାଇସ ମିଲ କୁ କ୍ଷମତା ଦିଆ ଯାଇଥିବା ବେଳେ ରାଇସ ମିଲ ପକ୍ଷରୁ ସେବା ସମବାୟ ସମିତିକୁ ଅସହଯୋଗ କରାଯାଉଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛି। ଗତ ଖରିଫରେ ଏହି ସେବା ସମବାୟ ସମିତିରୁ ୨୩ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ବେକେ ପ୍ରଶାସନ ପକ୍ଷରୁ ଚଳିତ ଖରିଫରେ ଆଜି ଯାଏଁ ପ୍ରାୟ ୧୬ ହାଜର କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୬୦୦୦ କ୍ୱିଣ୍ଟାଲ ଧାନ ସେବା ସମବାୟ ସମିତି ଜରିଆରେ କ୍ରୟ କରାଯାଇଛି।
ଫଳରେ ଅବଶିଷ୍ଟ ଧାନ ଚାଷୀ ବିକ୍ରି କରି ପାରିନଥିବା ବେଳେ ଟୋକନ ଅବଧି ସରିବାର ପରିସ୍ଥିତି ଉପୁଜିଛି। ମିଲରର ଅସହଯୋଗ ଯୋଗୁଁ ଏଭଳି ସମସ୍ୟା ଉପୁଜୁଥିବାରୁ ଅଞ୍ଚଳର ଚାଷୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ଜଣା ପଡିଛିl
ମିଲର ଅସହଯୋଗ ଯୋଗୁଁ ଅଞ୍ଚଳର ଚାଷୀ ଖୁବ୍ଧ ହେବାସହ ଚାଷୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସେବା ସମବାୟ ସମିତି କର୍ମଚାରୀ। ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଅଞ୍ଚଳର ଚାଷୀଙ୍କ ସମସ୍ୟାରେ ମୁଣ୍ଡ ନପୁରାଇବା କାରଣରୁ ଶୀତ କାକରରେ ନିଜ ପରିଶ୍ରମର ଉପାର୍ଜିତ ଫସଲର ମୂଲ୍ୟ ପାଇବାକୁ ରାସ୍ତା କଡରେ ପଡି ରହିଛନ୍ତି ଚାଷୀ। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଅଞ୍ଚଳର ଚାଷୀଙ୍କ ସମସ୍ୟାକୁ ଗୁରୁତର ସହ ନେବାକୁ ଅନୁରୋଧ କରିଛନ୍ତି ଚାଷୀ କୁଳ।