ନକଲି ବିଦେଶୀ ମଦ ସହ ବେପାରୀ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବୁଢାପାଳ ଗ୍ରାମରେ ବେଆଇନ ବିଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିବା ସୂଚନା ପାଇ ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଜଣେ ବେପାରୀକୁ ଗିରଫ କରାଯାଇଛି। ତା ନିକଟରୁ ନକଲି ବିଦେଶୀ ମଦ ସହ ପ୍ରସ୍ତୁତି ଓ ବିକ୍ରିରେ ଆବଶ୍ୟକ ସାମଗ୍ରୀ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ ବୁଢାପାଳ ଅଞ୍ଚଳରେ ବିହାର ରାଜ୍ୟର ଜଣେ ବ୍ୟକ୍ତି ଗତ କିଛି ଦିନ ଧରି ନକଲି ବିଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରୁଥିଲା। ଅବକାରୀ ନିରୀକ୍ଷକ ମଧୁସୂଦନ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ବୁଢାପାଳ ବିଦ୍ୟୁତ ସବ ଷ୍ଟେସନ ନିକଟରେ ଛକି ରହିଥିବା ବେଳେ ଅଭିଯୁକ୍ତ ଶ୍ରବଣ କୁମାର ନକଲି ବିଦେଶୀ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ସ୍ପିରିଟ, ରଙ୍ଗ, ମଦ ବୋତଲ ଓ ଠିପି ଆଦି ନେଇ ଟିକିରା ନଦୀ ପଠା ଆଡକୁ ଯାଉଥିବା ଦେଖି ଅବକାରୀ କର୍ମଚାରୀମାନେ ତାକୁ କାବୁ କରିବା ସହ ଉପରୋକ୍ତ ସାମଗ୍ରୀ ଜବତ କରିଛି।

ସେହିପରି ଅଧିକ ତଦନ୍ତ ପାଇଁ ଜିଲ୍ଲା ଅବକାରୀ କାର୍ଯ୍ୟାଳୟକୁ ଆଣି ପଚରାଉଚରା ପରେ ଆଜି ଗିରଫ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତ ଶ୍ରବଣ ବିରୁଦ୍ଧରେ ଅବକାରୀ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।