ମେଲବୋର୍ଣ୍ଣ,ଏଜେନ୍ସି: ବିଶ୍ୱର ଏକ ନମ୍ବର ଆଶ୍ଲିଗ୍ ବାର୍ଟି ଶନିବାର ଅଷ୍ଟ୍ରେଲୀୟ ଓପନ୍ ଫାଇନାଲରେ ଡାନିଏଲ୍ କଲିନ୍ସଙ୍କୁ ପରାସ୍ତ କରି ମହିଳା ଟାଇଟଲ୍ ଜିତିଛନ୍ତି। ସେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିୟ ଓପନ୍ ଟାଇଟଲ୍ ଜିତିଛନ୍ତି।
ଶନିବାର ମହିଳା ସିଙ୍ଗଲ୍ସ ଟାଇଟଲ ମ୍ୟାଚରେ ସେ ଆମେରିକାର ଡାନିଏଲ କଲିନ୍ସଙ୍କୁ ସିଧାସଳଖ ସେଟରେ ପରାସ୍ତ କରିଛନ୍ତି। ସମଗ୍ର ଟୁର୍ନାମେଣ୍ଟରେ ବାର୍ଟି ଗୋଟିଏ ସେଟ୍ ମଧ୍ୟ ହାରି ନାହାଁନ୍ତି।
ଅଷ୍ଟ୍ରେଲିୟ ଓପନ୍ ସିଙ୍ଗଲ୍ସ ଟ୍ରଫି ଯିତିବାରେ ୪୪ ବର୍ଷ ମଧ୍ୟରେ ବାର୍ଟି ହେଉଛନ୍ତି ପ୍ରଥମ ଅଷ୍ଟ୍ରେଲୀୟ ମହିଳା।୧୯୭୮ ମସିହାରୁ ଅଷ୍ଟ୍ରେଲିୟ ଓପନ୍ ଜିତିବା ପରେ ଆଶ୍ଲିଗ୍ ବାର୍ଟି ପ୍ରଥମ ଅଷ୍ଟ୍ରେଲୀୟ ହୋଇପାରିଛନ୍ତି। ଏହାପୂର୍ବରୁ କ୍ରିସ୍ ଓ’ନିଲ ଶେଷ ଥର ପାଇଁ ଏହି ଟାଇଟଲ୍ ଜିତିଥିଲେ।
ଅଷ୍ଟ୍ରେଲୀୟ ତାରକା ଖେଳାଳି ବାର୍ଟି ଆରମ୍ଭରୁ ୨୮ ବର୍ଷୀୟ କଲିନ୍ସଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ପ୍ରଥମ ସେଟ୍ ୬-୩ ରେ ସହଜରେ ଜିତିଥିଲେ। ଏହା ପରେ ଆମେରିକୀୟ ଖେଳାଳି ଦ୍ୱିତୀୟ ସେଟରେ କିଛି ପ୍ରତିଯୋଗିତା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ବାର୍ଟି ତାଙ୍କୁ କୌଣସି ସୂଯୋଗ ଦେଇ ନଥିଲେ ଏବଂ ୭-୬ରେ ଦ୍ୱିତୀୟ ସେଟ୍ ଜିତି ତୃତୀୟ ଗ୍ରାଣ୍ଡସ୍ଲାମ୍ ଜିତିଥିଲେ। ବାର୍ଟି ପୂର୍ବରୁ ୨୦୧୯ ରେ ଫ୍ରେଞ୍ଚ ଓପନ୍ ଏବଂ ୨୦୨୧ ରେ ୱିମ୍ବଲଡନ୍ ଜିତିଥିଲେ।