ପୁରୀ,ଏନ୍ଏନ୍ଏସ୍: ସ୍ବର୍ଗଦ୍ବାରରେ ମୃତଦେହ ଦାହ ନେଇ ଲାଗିଥିବା କଟକଣା ହଟିଛି। ଏଣିକି ପୂର୍ବଭଳି ଅନ୍ୟ ଜିଲ୍ଲାର ଲୋକଙ୍କ ମଧ୍ୟ ଅନ୍ତିମ ସତ୍କାର ହୋଇପାରିବ। ହେଲେ ଏଥିପାଇଁ କିଛି ନୂଆ ଏସଓପି ଜାରି କରିଛି ପୁରୀ ପ୍ରଶାସନ। କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ଦାହ ସଂସ୍କାର ଉପରେ କଟକଣା ରହିଛି। କୋଭିଡ ଜନିତ ମୃତ ହୋଇନଥିବା ନେଇ ଆବଶ୍ୟକୀୟ ପ୍ରମାଣପତ୍ର ସାଙ୍ଗରେ ଆଣି ସ୍ଵର୍ଗଦ୍ୱାର ଆସିବାକୁ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।
ନୂଆ ଏସ୍ଓପି ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ କେବଳ ୧୦ ଜଣ ଉପସ୍ଥିତ ରହିବାକୁ ଅନୁମତି ରହିଛି। ସେହିପରି କୋଭିଡ ଗାଇଡ଼ଲାଇନ କଡାକଡି ପାଳନ ତଥା ମାସ୍କ , ସାନିଟାଏଜର ବ୍ୟବହାର ସମେତ ସାମାଜିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ରହିଛି। ସ୍ବର୍ଗଦ୍ବାରରେ ସମସ୍ତ କୋଭିଡ ଗାଇଡଲାଇନ ମାନିବାକୁ ଜିଲ୍ଲାପାଳ ଅପିଲ୍ କରିଛନ୍ତି। ନିୟମ ଉଲ୍ଲଙ୍ଘନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ଓପିରେ ବ୍ୟବସ୍ଥା ରହିଛି।