ନାବାଳିକା ପ୍ରେମିକାକୁ ପ୍ରତାରଣା କରି ପ୍ରେମିକ ଫେରାର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ସହ ମିଥ୍ୟା ପ୍ରେମ କରି ପ୍ରତାରକ ପ୍ରମିକ ଫେରାର ମାରିବା ଘଟଣା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ପରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ମାମଲା ଆସି ପାଟଣାଗଡ଼ ଥାନାରେ ପହଂଚିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ନିକଟସ୍ଥ ଫୁଡ଼କୁପରା ଗ୍ରାମର ଶରତ ବାଗ(୨୩) ନାମକ ଜନୈକ ଯୁବକ କେନ୍ଦୁମୁଣ୍ଡି ଗ୍ରାମକୁ ଆସି ଏକ ମୁଢ଼ି ଠେଲା କରି ବ୍ୟବସାୟ କରୁଥିଲା । କେନ୍ଦୁମୁଣ୍ଡିରେ ଏକ ଭଡ଼ା ଘର ନେଇ ରହୁଥିବା ଶରତ ଉକ୍ତ ଗ୍ରାମର ଏକ ନାବାଳିକା ଅନାମିକା(୧୭)ଙ୍କ ସହ ଗତ ୩ ବର୍ଷ ତଳୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ପ୍ରେମିକାକୁ ସାଙ୍ଗରେ ନେଇ ସୁଦୂର ବାଙ୍ଗାଲୁରୁ ଯାଇ ଏକ ସୁନ୍ଦର ଜୀବନ ବିତାଇବାର ରଙ୍ଗୀନ ସ୍ୱପ୍ନ ଦେଖାଇ ଶରତ ଗତ ୨୩ ତାରିଖ ଦିନ ଅନାମିକାକୁ ନିଜ ଘରକୁ ଡାକିଥିଲା । ଉଭୟେ ୨୩ ତାରିଖ ଏକାଠି ରହିବା ପରେ ୨୪ ତାରିଖ ସକାଳେ କିଛି ଟଙ୍କା ନେଇ ନିଜ ଗାଁ ଫୁଡ଼କୁପରାରୁ ଆସିବା ପରେ ଦୁହେଁ ବାଙ୍ଗାଲୁରୁ ବାହାରିବା ପ୍ରତିଶ୍ରୁତି ଦେଇ ଶରତ ଘରୁ ବାହାରି ଯାଇଥିଲା । ଅନ୍ୟପଟେ ପ୍ରେମିକର ଫେରିବା ବାଟକୁ ଚାହିଁ ଚାହିଁ ଦୀର୍ଘ ୨ଦିନ କାଟିବା ପରେ ନାବାଳିକା ଜଣକ ଗାଁ ଲୋକଙ୍କ ସାହାଯ୍ୟ ଭିକ୍ଷା କରିଥିଲା । ଗ୍ରାମବାସୀ ଫୁଡ଼କୁପରା ଯାଇ ସମାଧାନର ଉଦ୍ୟମ କରିଥିଲେ ମଧ୍ୟ ସଫଳ ନ ହେବାରୁ ଗତକାଲି ବିଳମ୍ବିତ ରାତିରେ ନାବାଳିକା ସହ ପାଟଣାଗଡ ଥାନାରେ ପହଂଚିଥିଲେ । ଏକ ଲିଖିତ ଏତଲା ପାଇବା ପରେ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।