କୋଭିଡ କଟକଣା ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କଲା କେନ୍ଦ୍ର

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି ଜାରି ହୋଇଥିବା ଗାଇଡଲାଇନକୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନିଷ୍ପତ୍ତି ହୋଇଛି।

ତେବେ ଦେଶର ପ୍ରାୟ ବିଭିନ୍ନ ରାଜ୍ୟରେ ସାଧାରଣ ସଂକ୍ରମଣ ସମେତ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ବର୍ତ୍ତମାନ ସ୍ଥିତିରେ କୋଭିଡ ପ୍ରୋଟୋକଲରେ କୌଣସି ଅବହେଳା ବା ଉଲ୍ଲଙ୍ଘନ ମହଙ୍ଗା ସାବ୍ୟସ୍ତ ହୋଇପାରେ। ତେଣୁ କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନକୁ ଆସନ୍ତା ମାସ (ଫେବୃଆରୀ) ୨୮ ଯାଏ ବଳବତ୍ତର ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ସର୍ବସଧାରଣ ସ୍ଥାନରେ କୋଭିଡ ପ୍ରୋଟୋକଲ ସଠିକ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ରହିଛି। ସମ୍ପୃକ୍ତ ଅଧିକାରୀମାନେ କୋଭିଡ କଟକଣା ଅନୁପାଳନ ନେଇ ଯାଞ୍ଚ କରିବା ସହ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର।