ସୋର ବସ୍ ଦୁର୍ଘଟଣା, ମୃତକଙ୍କ ପରିବାର ପାଇଁ ୨ ଲକ୍ଷର ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ସୋର,ଏନ୍ଏନ୍ଏସ୍: ବାଲେଶ୍ବର ଜିଲ୍ଲା ସୋର ଠାରେ ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଛଅ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ସେହିପରି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ କୋଇଲା ବୋଝେଇ ଟ୍ରକ ପଛରୁ ଧକ୍କା ଦେବାରୁ ବସ୍‌ଟି ଓଲଟି ପଡିଥିଲା । ତେବେ ଶାନ୍ତିଲତା ନାମକ ବସ୍‌ଟି ଉଦଳାରୁ ଭୁବନେଶ୍ୱର ଆସୁଥୁବା ବେଳେ ସୋର ବିଦୁ ଛକ ନିକଟରେ ଓଲଟି ପଡିଥିଲା । ବିଦୁ ଛକରେ ଯାତ୍ରୀ ଓହ୍ଲାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା ।

ବସରେ ଥିବା ୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହାସହିତ ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବାପା, ମା, ଗୋଟିଏ ଛୁଆ ରହିଥିବା ସୂଚନା ମିଳିଛି ।

ଧକ୍କା ହେବା ପରେ ଉଭୟ ବସ୍ ଓ ଟ୍ରକ ଓଲଟି ପଡିଥିଲେ । ଟ୍ରକଟି ରାସ୍ତା ଉପରେ ଓ ବସ୍‌ଟି ରାସ୍ତା କଡ ଖାଲକୁ ଓଲଟି ପଡିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି ।