ରେକର୍ଡ ଦରରେ କେଏଲ ରାହୁଲଙ୍କୁ କିଣିଲା ଲକ୍ଷ୍ନୌ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଆଇପିଏଲରେ ଦୁଇ ନୂଆ ଦଳ ସାମିଲ ହେବେ। ମେଗା ଅକ୍ସନ ପୂର୍ବରୁ ଦୁଇ ନୂଆ ଦଳ ଲକ୍ଷ୍ନୌ ଓ ଅହମଦାବାଦ ଶୁକ୍ରବାର ୩ ଜଣ ଲେଖାଏ ଖେଳାଳିଙ୍କୁ ନିଜ ସହ ସାମିଲ କରିଛନ୍ତି। ଆସନ୍ତା ମାସରେ ଆଇପିଏଲର ୨୦୨୨ ସଂସ୍କରଣ ପାଇଁ ମେଗା ଅକ୍ସନ ହେବ।

ଏହାପୂର୍ବରୁ ଅହମଦାବାଦ ଟିମ ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାନ ଓ ଶୁବମନ ଗିଲଙ୍କୁ କିଣିଛି। ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ। ସେହିପରି ଲକ୍ଷ୍ନୌ ଟିମ୍‌ କେଏଲ ରାହୁଲ, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଓ ଯୁବ ତାରକା ରବି ବିଷ୍ଣୋଇଙ୍କ ସହ ଚୁକ୍ତି କରିଛି। ଏହାର ଅର୍ଥ ଏହି ୬ ଖେଳାଳି ଆଉ ମେଗା ଅକ୍ସନରେ ସାମିଲ ହେବେନି।

ରାହୁଲ ରେକର୍ଡ ଦରରେ ଲକ୍ଷ୍ନୌ ଟିମକୁ ଯାଇଛନ୍ତି। ତାଙ୍କୁ ଦଳ ୧୭ କୋଟି ଟଙ୍କାରେ କିଣିଛି। ଆଇପିଏଲ ଇତିହାସରେ ରାହୁଲ ଦ୍ୱିତୀୟ ଖେଳାଳି ଭାବେ କୌଣସି ଟିମ୍‌ ଠାରୁ ୧୭ କୋଟି ପାଇବାକୁ ଯାଉଛନ୍ତି। ଏହାପୂର୍ବରୁ ୨୦୧୮ ଅକ୍ସନ ପୂର୍ବରୁ ବିରାଟ କୋହଲି ୧୭ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଚୁକ୍ତି କରିଥିଲେ। ଏବେ ରାହୁଲ ତାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

 ରାହୁଲଙ୍କୁ ଲକ୍ଷ୍ନୌ ୧୭ କୋଟିରେ ନେଇଥିବା ବେଳେ ଷ୍ଟୋଇନିସ ୯.୨ କୋଟି ଟଙ୍କା ପାଇବେ। ସେହିପରି ବିଷ୍ଣୋଇଙ୍କୁ ୪ କୋଟି ମିଳିବ। ଲକ୍ଷ୍ନୌ ପ୍ରାଞ୍ଚାଇଜ୍‌ ୫୯.୮୯ କୋଟି ଟଙ୍କା ଧରି ମେଗା ଅକ୍ସନରେ ସାମିଲ ହେବ।

ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରଶିଦ ଖାନଙ୍କୁ ଅହମଦାବାଦ ସମାନ ୧୫ କୋଟି ଟଙ୍କା ଲେଖାଏ ଦେଇ କିଣିଛି। ଗିଲ୍‌ଙ୍କ ସହ ଏହି ପ୍ରାଞ୍ଚାଇଜ ୮ କୋଟି ଟଙ୍କାରେ ଚୁକ୍ତି କରିଛି। ଅହମଦାବାଦ ପାଖରେ ଏବେ ୫୨ କୋଟି ଟଙ୍କା ରହିଛି।

ଆସନ୍ତା ମାସରେ ହେବାକୁ ଥିବା ମେଗା ଅକ୍ସନରେ ମୋଟ ୧୨୧୪ ଜଣ ଖେଳାଳି ସାମିଲ ହେବେ। ଏମାନଙ୍କ ମଧ୍ୟରେ ୮୯୬ ଜଣ ଭାରତୀୟ ଓ ୩୧୮ ଜଣ ବିଦେଶୀ ଖେଳାଳି ରହିଛନ୍ତି।