ନୂଆଦିଲ୍ଲୀ,ଏଜେନ୍ସି: ଏଣିକି ବିମାନଯାତ୍ରୀମାନେ ନିଜ ସହିତ ଗୋଟିଏ ହ୍ୟାଣ୍ଡବ୍ୟାଗ୍ ଯାତ୍ରା ସମୟରେ ନେଇପାରିବେ । ବିମାନସେବା ସୁରକ୍ଷା ନିୟାମକ (ବିସିଏଏସ୍) ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ଏ ନେଇ ଏକ ମେମୋ ଜାରି କରି ବିସିଏଏସ୍ ସୂଚନା ଦେଇଛି ଯେ ଏହି ନିୟମ ନଲାଗୁ ହେବା ଯୋଗୁଁ ବିମାନବନ୍ଦରରେ କ୍ଲିୟରାନ୍ସ ସମୟରେ ବିଳମ୍ବ ରହୁଛି । ପ୍ରତ୍ୟେକ ଯାତ୍ରୀ ନିଜ ସହିତ ୨ରୁ ୩ଟି ବ୍ୟାଗ୍ ନେଉଥିବାରୁ ଏପରି ବିଳମ୍ବ ଘଟୁଛି । ଭିଡ ଏବଂ ବିଳମ୍ବ ଯାତ୍ରୀଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଛି ।
ବିମାନବନ୍ଦରରେ ଲମ୍ବା ଧାଡ଼ି କ୍ଲିୟରାନ୍ସ ସମୟରେ ଲାଗିରହୁଛି । ଚେକ୍-ଇନ୍-କାଉଣ୍ଟର୍ରେ ଗହଳି ଦେଖାଯାଉଛି । ଫଳରେ ଅନ୍ୟ ଯାତ୍ରୀଙ୍କୁ ସମସ୍ୟା ହେଉଛି । ଏହି ସମସ୍ୟା ଯୋଗୁଁ ନୂତନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିମାନସେବା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ବିସିଏଏସ୍ । ସୂଚନାଯୋଗ୍ୟ ଯେ ସମ୍ପ୍ରତି ଗୋଟିଏ ହ୍ୟାଣ୍ଡ୍ବ୍ୟାଗ୍ ବ୍ୟତୀତ ଗୋଟିଏ ଲ୍ୟାପ୍ଟପ୍ ବ୍ୟାଗ, ଗୋଟିଏ ମହିଳା ବ୍ୟାଗ୍, ବ୍ଲାଙ୍କେଟ୍, ଉପହାର, ଛତା ଓ ବହିପତ୍ର ଆଦିର ଅନୁମତି ରହିଛି । ବିସିଏଏସ୍ ଏ ନେଇ ବୋର୍ଡିଂ ପାସ୍ ଓ ଟିକେଟ ଜାରି କରିବା ସମୟରେ ଯାତ୍ରୀଙ୍କୁ ଲିଖିତ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦେଇଛି ।
ଏହାବ୍ୟତୀତ ବିସିଏଏସ୍ ବିମାନସେବା କମ୍ପାନୀଗୁଡ଼ିକ ବିମାନ ଆଗମନ ଓ ପ୍ରସ୍ଥାନ ସମୟକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛି । ଯେପରି ଏକା ସମୟରେ ରନ୍ୱେରେ ଅଧିକ ବିମାନ ଅବତରଣ କରିବାକୁ ଅପେକ୍ଷା କରିବାକୁ ନପଡ଼େ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଭିଯୋଗ କ୍ରମେ ବିସିଏଏସ୍ ଏହି ପଦକ୍ଷେପ ନେଇଛି । ଅପରପକ୍ଷରେ ଏହି ନିମୟ ଲାଗୁ ହେବା ସମ୍ଭବପର ନୁହେଁ ବୋଲି ଏକ ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମତବ୍ୟକ୍ତ କରିଛନ୍ତି ।