ରିଲାଏନ୍ସ ଇଣ୍ଡଷ୍ଟ୍ରି ଡିସେମ୍ବର ତ୍ରୟମାସିକ ଫଳାଫଳ ଘୋଷିତ; ଶୁଦ୍ଧ ଲାଭ ୨୦,୫୩୯ କୋଟି

ମୁମ୍ବାଇ,ଏଜେନ୍ସି: ଦେଶର ସର୍ବବୃହତ୍ ଘରୋଇ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଡିସେମ୍ବର ତ୍ରୟମାସିକ ଫଳାଫଳ ଘୋଷଣା କରାଯାଇଛି । ଅକ୍ଟୋବର-ଡିସେମ୍ବର ତ୍ରୟମାସିକରେ କମ୍ପାନୀ ୨୦,୫୩୯ କୋଟିର ଶୁଦ୍ଧ ଲାଭ ଅର୍ଜନ କରିଛି । ଗତବର୍ଷର ସମାନ ଅବଧି ତୁଳନାରେ କମ୍ପାନୀର ଲାଭ ୩୭.୯% ଅଧିକ ରହିଛି । ଆଜି ବିଳମ୍ବିତ ସନ୍ଧ୍ୟାରେ କମ୍ପାନୀ ଫଳାଫଳ ଘୋଷଣା କରିଛି । କମ୍ପାନୀର ଶେୟାର୍‌ରେ ଆଜି ସାମାନ୍ୟ ହ୍ରାସ ଘଟିଛି ।

ରିଲାଏନ୍ସର ବଜାର ପୁଞ୍ଜିକରଣ ୧୬.୭୬ ଲକ୍ଷ କୋଟି ରହିଛି । କମ୍ପାନୀର ଗ୍ରସ୍ ରେଭେନ୍ୟୁ ଆଲୋଚ୍ୟ ତ୍ରୟମାସିକରେ ୨.୦୯ ଲକ୍ଷ କୋଟି ରହିଛି । ଯାହା ଗତବର୍ଷ ତୁଳନାରେ ୫୨.୨%ରୁ ଅଧିକ ବୋଲି ଜଣାପଡ଼ିଛି । କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରେଭେନ୍ୟୁ ୧,୨୨,୮୧୧ କୋଟି ରହିଛି । ଯାହା ପୂର୍ବବର୍ଷ ତୁଳନାରେ ୭୧.୯% ଅଧିକ । କମ୍ପାନୀ ଏହି ଅବଧିରେ ୬୪,୭୮୧ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରିଛି । ଅପରପକ୍ଷରେ ଜିଓର ପ୍ରତ୍ୟେକ ଗ୍ରାହକଙ୍କ ନିକଟରୁ କମ୍ପାନୀ ଡିସେମ୍ବରରେ ୧୫୧.୬ ଟଙ୍କା ଲାଭ କରିଛି ।

ଯାହା ଗତ ସେପ୍ଟେମ୍ବରରେ ୧୪୩.୬୦ ଟଙ୍କା ଥିଲା । ଆଲୋଚ୍ୟ ତ୍ରୟମାସିକରେ ଜିଓର ଲାଭ ୩,୭୯୫ କୋଟି ଟଙ୍କା ରହିଛି । ପୂର୍ବବର୍ଷର ସମାନ ଅବଧି ତୁଳନାରେ ୮.୯% ଅଭିବୃଦ୍ଧି ଘଟିଛି । ଏହାବ୍ୟତୀତ ରିଲାଏନ୍ସ ରିଟେଲ୍‌ର ଗ୍ରସ୍ ରେଭେନ୍ୟୁ ଆଲୋଚ୍ୟ ତ୍ରୟମାସିିକରେ ୫୭,୭୧୪ କୋଟି ରହିଛି । ଡିସେମ୍ବର ତ୍ରୟମାସିକରେ କମ୍ପାନୀ ବହୁତ୍ ଭଲ ପ୍ରଦର୍ଶନ କରିଛି । ଗ୍ରୁପ୍‌ର ସମସ୍ତ ବିଜିନେସ୍ ମଜଭୁତ୍ ଯୋଗଦାନ ଦେଇଛନ୍ତି ବୋଲି ଏହି ଅବସରରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି । କମ୍ପାନୀର ଅଏଲ୍ ଟୁ କେମିକାଲ୍ ସେଗମେଣ୍ଟ୍ କ୍ଷେତ୍ରର ରାଜସ୍ୱ ୧,୩୧,୪୨୭ କୋଟି ରହିଛି । ପୂର୍ବବର୍ଷର ସମାନ ଅବଧି ତୁଳନାରେ ୫୬.୮% ବୃଦ୍ଧି ଘଟିଛି ।