ଛେଳି ଚୋରୀ କରି ଜେଲ ଗଲେ ୨ ଅଭିଯୁକ୍ତ

ଦେବଗଡ଼,ଏନ୍ଏନ୍ଏସ୍: ଛେଳି ଚୋରି କରି ଶେଷରେ ଧରା ପଡିଲେ ୨ ଅଭ୍ୟାସ ଗତ ଛେଳି ଚୋର। ଅଟୋ ରିକ୍ସା ସହ ଉଦ୍ଧାର ହେଲା ୩ ଚୋରି ଛେଳି। ପାଟ୍ରୋଲିଂ ବେଳେ ହାବୁଡ଼ି ଗଲେ ପୁଲିସ। ଏପରି ଘଟଣା ଘଟିଛି ବାରକୋଟ ଥାନାଞ୍ଚଳର। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନା ଅନ୍ତର୍ଗତ କାଦପଡା ଗ୍ରାମର ରତନ ଭୂମିଜ ରାତିରେ ଖିଆପିଆ ସାରି ଅନ୍ୟଦିନ ଭଳି ପରିବାର ଲୋକଙ୍କ ସହ ଶୋଇ ଯାଇଥିଲେ। ତେବେ ବିଳମ୍ବିତ ରାତ୍ରିରେ ତାଙ୍କ ଗୁହାଳରୁ ଛେଳି ମାନଙ୍କ ଚିତ୍କାର ଶୁଣି ଘରୁ ବାହାରିବା ବେଳେ ଏକ ଅଟୋରେ ୩ ଜଣ ବ୍ୟକ୍ତି ତାଙ୍କ ଗୁହାଳରୁ ୩ଟି ଛେଳି ଚୋରି କରିନେଇ ଦୃତ ଗତିରେ ବାରକୋଟ ପଟକୁ ପଳାଇଥିଲା।

ଏ ନେଇ ରତନ ଫୋନ ଯୋଗେ ବାରକୋଟ ଥାନାକୁ ସୂଚନା ଦେବା ପରେ ବାରକୋଟ ଥାନାର ରାତ୍ରିକାଳୀନ ପାଟ୍ରୋଲିଂ କର୍ମଚାରୀ ଗୋଲାବନ୍ଧ ଗ୍ରାମ ନିକଟରେ ଉକ୍ତ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଜଣେ ଅଭିଯୁକ୍ତ ଖସି ଯାଇଥିବା ବେଳେ ଅଟୋ ମଧ୍ୟରେ ଚୋରି ହୋଇଥିବା ୩ଟି ଛେଳି ଓ ଅଟୋକୁ ଜବତ କରିବା ସହ ଥାନାକୁ ନେଇ ପଚରାଉଚରା କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ମାନେ ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ କୁମୁଣ୍ଡି ଗ୍ରାମର ଦୁଷ୍ମନ୍ତ ପାତ୍ର ଓ ଲହୁଣୀପଡା ଅଞ୍ଚଳର ଅଫରୋଜ ଆନସାରୀ ବୋଲି ଜାଣିବାକୁ ପାଇଥିଲେ। ଉପରୋକ୍ତ ଅଭିଯୁକ୍ତ ମାନଙ୍କ ନାମରେ ବାରକୋଟ ଥାନାରେ ପୂର୍ବରୁ ମଧ୍ୟ ୨ଟି ମାମଲା ଥିବା ଥାନା ଅଧିକାରୀ କନକ ମାଝୀ ପ୍ରକାଶ କରିଛନ୍ତି।