କଟକ,ଏନ୍ଏନ୍ଏସ୍: ବେଶ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ କୋଭିଡ ସ୍ଥିତି ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ଚଳିତମାସ ଶେଷ ସୁଦ୍ଧା କୋଭିଡ ସ୍ଥିତି ପିକ୍ରେ ପହଞ୍ଚିବାର ଆଶଙ୍କା କରାଯାଉଥିବା ବେଳେ ସେହି ସମୟରେ ବହୁ ସଂଖ୍ୟକ କୋଭିଡ ରୋଗୀଙ୍କୁ ମେଡିକାଲ ଚିକିତ୍ସାର ଆବଶ୍ୟକତା ରହିବ। ଏହି ଦୃଷ୍ଟିରୁ ରୋଗୀ ଅଧିକ ଗୁରୁତର ନଥିଲେ ଏସ୍ସିବିକୁ ଆସିବା ପାଇଁ ବାରଣ କରିଛନ୍ତି ଏସ୍ସିବି କର୍ତ୍ତୃପକ୍ଷ।
ସେପଟେ ସଂକ୍ରମଣ ବଢୁଥିବା ଯୋଗୁଁ ଏସ୍ସିବିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ମେଡ଼ିକାଲରେ ମୋଟ ୬୦୦ଟି ବେଡ ରଖାଯିବା ସହ ୧୪୦ଟି ଆଇସିୟୁ ବେଡ ପ୍ରସ୍ତୁତ କରାଯାଇଛି। ପ୍ରତିଦିନ ଏସ୍ସିବିରେ ୬ ହଜାର କୋଭିଡ଼ ଟେଷ୍ଟ କରାଯାଉଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏସ୍ସିବିରେ ଆବଶ୍ୟକୀୟ ଭିତ୍ତିଭୂମି ସହ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା କହିଛନ୍ତି ଏସ୍ସିବିର ପ୍ରିନିସିପାଲ ଦନ୍ତେଶ୍ବର ହୋତା।
ଏହା ବ୍ୟତୀତ କୋଭିଡ଼ ସଂକ୍ରମଣ ବ୍ୟାପୁଥିବାରୁ ଅତି ଜରୁରୀ ନ ଥିଲେ ଲୋକେ ଚିକିତ୍ସା ପାଇଁ ଏସ୍ସିବି ନଆସି ଏବଂ ଟେଲି ମେଡ଼ିସିନ ଜରିଆରେ ପରାମର୍ଶ ନେବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି ଏସ୍ସିବି ଅଧ୍ୟକ୍ଷ। ସେପଟେ ଏସ୍ସିବିରେ ୪ଟି ଓଫିଡି ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି ଏବଂ କିଡ଼ନୀ ରୋଗୀଙ୍କ ଡାଇଲେସିସ ପାଇଁ ସ୍ବତନ୍ତ୍ର ୱାର୍ଡ କରାଯାଇଛି ବୋଲି କହିଛନ୍ତି କର୍ତ୍ତୃପକ୍ଷ।