ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସେଣ୍ଢା ଗ୍ରାମରୁ ଜଣେ ଦମ୍ପତ୍ତିଙ୍କ ନବଜାତ ଶିଶୁ ପୁତ୍ର ଚୋରି ଅଭିଯୋଗରେ କୁଣ୍ଢେଇଗୋଳା ଥାନା ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ସେଣ୍ଢା ଗ୍ରାମର ରାମଚନ୍ଦ୍ର ମାଝୀଙ୍କ ସ୍ତ୍ରୀ ବାସନ୍ତୀ ମାଝୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଶିଶୁ ପୁତ୍ର ଜନ୍ମ ହେବାର କିଛି ସମୟ ପରେ ରାମଚନ୍ଦ୍ରଙ୍କ ପଡ଼ୋଶୀ ଦିଲ୍ଲୀପ ଦେହୁରୀ ଓ ତାଙ୍କ ସ୍ତ୍ରୀ ସୋନାଲି ଦେହୁରୀ କୌଶଳ ପୂର୍ବକ ଶିଶୁ ପୁତ୍ରକୁ ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବ୍ରାହ୍ମଣି ନୂଆପଡ଼ା ଗ୍ରାମର ଖୁଲଣା ବେହେରାଙ୍କୁ ୭ ହଜାର ଟଙ୍କାରେ ବିକ୍ରି କରିଥିଲେ। ଏନେଇ ରାମଚନ୍ଦ୍ର ରିଆମାଳ ଚାଇଲଡ ଲାଇନ ନିକଟରେ ଅଭିଯୋଗ କରିବା ପରେ ରିଆମାଳ ଚାଇଲଡ ଲାଇନ ପକ୍ଷରୁ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପରେ କୁଣ୍ଢେଇଗୋଳା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ବ୍ରାହ୍ମଣି ନୂଆପଡ଼ା ଗ୍ରାମର ଖୁଲଣା ବେହେରାଙ୍କ ଘରେ ଚଢ଼ଉ କରି ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ନବଜାତ ଶିଶୁକୁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିବା ପରେ ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିବା ପୁଲିସ ସୂଚନା ଦେଇଛି।