ନୂଆଦିଲ୍ଲୀ: ‘ରଙ୍ଗ ଦେ ବସନ୍ତୀ’ ଅଭିନେତା ସିଦ୍ଧାର୍ଥ ଏକ ଟ୍ୱିଟ୍ କରି ବିବାଦ ଘେରରେ ଫସି ଯାଇଛନ୍ତି। ଉକ୍ତ ବିବାଦିତ ଟ୍ୱିଟ୍ରେ ସିଦ୍ଧାର୍ଥ ଦ୍ୱିଅର୍ଥବୋଧକ ଶବ୍ଦ ପ୍ରୟୋଗ କରି ସାଇନା ନେହୱାଲଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିବାକୁ ଚେଷ୍ଟା କରିଛନ୍ତି। ପରେ ମହିଳା ଆୟୋଗ ତରଫରୁ ସିଦ୍ଧାର୍ଥଙ୍କୁ ନୋଟିସ ପଠାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ଦାବି କରାଯାଇଛି।
ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ହୋଇଥିବା ଅବହେଳାକୁ ନେଇ ଚିନ୍ତା ବ୍ୟକ୍ତ କରି ଟ୍ୱିଟ୍ କରିଥିଲେ। ସାଇନା ଲେଖିଥିଲେ ଯେ, ଯେପର୍ଯ୍ୟନ୍ତ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ସୁରକ୍ଷିତ ନାହାନ୍ତି ସେପର୍ଯ୍ୟନ୍ତ ଦେଶ ନିଜକୁ ସୁରକ୍ଷିତ ମଣିବ ନାହିଁ। ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସହ ଯାହା ହେଲା ମୁଁ ତା’ର କଡ଼ା ଭାଷାରେ ନିନ୍ଦା କରୁଛି। ସାଇନାଙ୍କ ଟ୍ୱିଟର ଉତ୍ତର ଦେବାକୁ ଯାଇ ସିଦ୍ଧାର୍ଥ ଆପତ୍ତିଜନକ ଶଦ୍ଦର ପ୍ରୟୋଗ କରିଥିଲେ।