ମାଉଣ୍ଟ ମାଙ୍ଗନୁଇ,ଏଜେନ୍ସି: ସ୍ଥାନୀୟ ବେ’ ଓଭାଲ୍ରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ ଇତିହାସ ରଚିଛି। କିୱି ଟିମ୍କୁ ୮ ୱିକେଟ୍ରେ ହରାଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୧ ବର୍ଷ ପରେ ପ୍ରଥମ ଟେଷ୍ଟ ବିଜୟ ହାସଲ କରିଛି। ଏହା ତିନିଟି ଯାକ ଫର୍ମାଟ୍ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ବାଂଲାଦେଶର ପ୍ରଥମ ବିଜୟ। ଏହା ପୂର୍ବରୁ ବାଂଲାଦେଶ ଟିମ୍ ନ୍ୟୁଜିଲାଣ୍ଡ ମାଟିରେ ୯ ଟେଷ୍ଟ, ୧୬ ଦିନିକିଆ ଓ ୭ ଟି-୨୦ ମ୍ୟାଚ୍ ଖେଳିଥିଲା। ମାତ୍ର ଏହି ସମସ୍ତ ମ୍ୟାଚ୍ରେ ବାଂଲାଦେଶକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।
ଅନ୍ୟପକ୍ଷରେ ୨୦୧୧ ଜାନୁଆରୀ ୭ ତାରିଖ ପରେ ନ୍ୟୁଜିଲାଣ୍ଡକୁ ତା’ ମାଟିରେ ହରାଇବାରେ ବାଂଲାଦେଶ ପ୍ରଥମ ଏସୀୟ ଟିମ୍ ହୋଇଛି। ଏହା ପୂର୍ବରୁ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ତା’ ଘରେ ମାତ୍ ଦେଇଥିଲା। ସେହିପରି କିୱି ଟିମ୍ ପ୍ରାୟ ପାଞ୍ଚବର୍ଷ ପରେ ଘରୋଇ ମାଟିରେ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିଛି। ଏହା ପୂର୍ବରୁ ୨୦୧୭ ମାର୍ଚ୍ଚରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚ୍ରେ ସାଉଥ୍ ଆଫ୍ରିକା ନ୍ୟୁଜିଲାଣ୍ଡକୁ ହରାଇଥିଲା। ସାଉଥ୍ ଆଫ୍ରିକା ଏହି ମ୍ୟାଚ୍କୁ ୮ ୱିକେଟ୍ରେ ନିଜ ନାମରେ କରିଥିଲା।
ପଞ୍ଚମ ଦିନ ୧୪୭/୫ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୧୬୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଟିମ୍ ପକ୍ଷରୁ ଓପ୍ନର୍ ୱିଲ୍ ୟଙ୍ଗ୍ ସର୍ବାଧିକ ୬୦ ଓ ରସ୍ ଟେଲର୍ ୪୦ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ଇବାଦତ୍ ହୁସେନ୍ ୪୬ ରନ୍ ଦେଇ ସର୍ବାଧିକ ୬ଟି ୱିକେଟ୍ ହାସଲ କରିଥିଲେ। ତାସ୍କିନ୍ ଅହମଦ୍ ୩୬ ରନ୍ରେ ୩ଟି ଏବଂ ମେହଦୀ ହସନ୍ ଗୋଟିଏ ସଫଳତା ପାଇଥିଲେ। ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ଇବାଦତ୍ ହୁସେନ୍ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।
ବିଜୟ ପାଇଁ ମିଳିଥିବା ୪୦ ରନ୍ର ଲକ୍ଷ୍ୟକୁ ବାଂଲାଦେଶ ୨ ୱିକେଟ୍ ବିନିମୟରେ ହାସଲ କରି ନେଇଥିଲା। ଶାଦ୍ମାନ୍ ଇସ୍ଲାମ୍ ୩ ଓ ନଜମୁଲ୍ ହୋସେନ୍ ଶାନ୍ତୋ ୧୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ମୋମିନୁଲ୍ ହକ୍ ୧୩ ଓ ମୁସ୍ଫିକୁର୍ ରହମାନ୍ ୩ ରନ୍ କରି ଅପରାଜିତ ଥିଲେ। ପ୍ରଥମ ଇନିଂସ୍ରେ ନ୍ୟୁଜିଲାଣ୍ଡ ୩୨୮ ରନ୍ କରିଥିବା ବେଳେ ଏହାର ଜବାବରେ ବାଂଲାଦେଶ ୪୫୮ ରନ୍ର ବୃହତ୍ ସ୍କୋର୍ ଛିଡ଼ା କରିଥିଲା। ଫଳରେ ଟିମ୍କୁ ପ୍ରଥମ ଇନିଂସ୍ରେ ୧୩୦ ରନ୍ର ଅଗ୍ରଣୀ ମିଳିଥିଲା।
ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୨୦୦୧ରେ ଖେଳିଥିଲା। ଏହାପରେ ଉଭୟ ଟିମ୍ ମଧ୍ୟରେ ୧୬ଟି ମ୍ୟାଚ୍ ଖେଳା ଯାଇଛି। ଏଥିରୁ ୧୨ଟିରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିବା ବେଳେ ୩ଟି ଡ୍ର’ ରହିଥିଲା।