ଦ୍ୱିତୀୟ ଟେଷ୍ଟ: ପୂଜାରା ଓ ରାହାଣେଙ୍କ ଅର୍ଦ୍ଧଶତକ; ଭାରତର ଦ୍ୱିତୀୟ ଇନିଂସ୍ ୨୬୬ ରନ୍‌ରେ ଶେଷ

ଜୋହାନ୍ସବର୍ଗ,ଏଜେନ୍ସି: ଜୋହାନ୍ସବର୍ଗରେ ଖେଳାଯାଉଥିବା ସାଉଥ୍ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଦ୍ୱିତୀୟ ଇନିଂସ୍ ୨୬୬ ରନ୍‌ରେ ସମାପ୍ତ ହୋଇଛି। ଫଳରେ ବିଜୟ ପାଇଁ ସାଉଥ୍ ଆଫ୍ରିକାକୁ ୨୪୦ ରନ୍‌ର ଲକ୍ଷ୍ୟ ମିଳିଥିଲା। ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୫୮ ରନ୍ କରିଥିଲେ। ଚେତେଶ୍ୱର ପୂଜାରା ୫୩ ଓ ହନୁମା ବିହାରୀ ଅପରାଜିତ ୪୦ ରନ୍‌ର ଯୋଗଦାନ କରିଥିଲେ। ସାଉଥ୍ ଆଫ୍ରିକା ପକ୍ଷରୁ କାଗିସୋ ରବାଡା, ଲୁଙ୍ଗି ଏନ୍‌ଗିଡି ଓ ମାର୍କୋ ଜାନ୍‌ସନ୍ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ତୃତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ସାଉଥ୍ ଆଫ୍ରିକା ୨ ୱିକେଟ୍ ବିନିମୟରେ ୧୧୮ ରନ୍ କରି ନେଇଥିଲା। ଅଧିନାୟକ ଡିନ୍ ଏଲ୍‌ଗର ୪୬ ଓ ରାସି ଭାନ୍ ଡର୍ ଡୁସେନ୍ ୧୧ ରନ୍‌ରେ ବ୍ୟାଟିଂ କରୁଥିଲେ। ମ୍ୟାଚ୍‌ର ଆଉ ଦୁଇଦିନ ଖେଳ ବାକି ଅଛି। ଏହି ଦୁଇଦିନରେ ବିଜୟ ପାଇଁ ସାଉଥ୍ ଆଫ୍ରିକାକୁ ୧୨୨ ରନ୍‌ର ଆବଶ୍ୟକତା ଥିବାବେଳେ ହାତରେ ୮ଟି ୱିକେଟ୍ ରହିଛି।

ଲକ୍ଷ୍ୟର ପିଛା କରୁଥିବା ସାଉଥ୍ ଆଫ୍ରିକାର ଆରମ୍ଭ ଭଲ ଥିଲା। ପ୍ରଥମ ୱିକେଟ୍ ପାଇଁ ଏଲ୍‌ଗର୍ ଓ ଆଇଦେନ୍ ମାର୍କରମ୍ ୬୦ ବଲ୍‌ରେ ୪୭ ରନ୍ ଯୋଗ କରିଥିଲେ। ତେବେ ମାର୍କରମ୍ (୩୧)ଙ୍କୁ ଆଉଟ୍ କରି ଶାର୍ଦ୍ଦୁଲ ଠାକୁର ଏହି ପାର୍ଟନର୍‌ଶିପ୍ ଭାଙ୍ଗିଥିଲେ। ୧୦ମ ଓଭର୍‌ରେ ଶାର୍ଦ୍ଦୁଲ୍ ଲଗାତାର ୪ଥର ମାର୍କରମ୍‌ଙ୍କୁ ବିଟ୍ କରି ଅନ୍ତିମ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ମାର୍କରମ୍‌ଙ୍କ ୩୮ ବଲ୍‌ର ଇନିଂସ୍‌ରେ ୬ଟି ଚୌକା ସାମିଲ ଥିଲା। ଏହାପରେ କିଗାନ୍ ପିଟରସନ୍ (୨୮)ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରି ଟିମ୍‌କୁ ଦ୍ୱିତୀୟ ସଫଳତା ଦେଇଥିଲେ। ତେବେ ଅଧିନାୟକ ଏଲ୍‌ଗର୍ ଓ ଡୁସେନ୍ ଆଉ କୌଣସି ୱିକେଟ୍ ପଡ଼ିବାକୁ ଦେଇନଥିଲେ।

ତୃତୀୟ ଦିନର ପ୍ରାରମ୍ଭ ଟିମ୍ ଇଣ୍ଡିଆ ପାଇଁ ଭଲ ଥିଲା। ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ପ୍ରାୟ ୭୫ ମିନିଟ୍ ବ୍ୟାଟିଂ କରି ଟିମ୍‌କୁ ମ୍ୟାଚ୍‌ରେ ବଞ୍ଚାଇ ରଖିଥିଲେ। ତେବେ ଏହା ପରେ ୨୯ ରନ୍ ମଧ୍ୟରେ ଟିମ୍‌ର ୪ଟି ୱିକେଟ୍‌ର ପତନ ଘଟିଥିଲା। ଏହାପରେ ହନୁମା ବିହାରୀ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କ ସହାୟତାରେ ସ୍କୋର୍‌କୁ ୨୬୬ ରନ୍‌ରେ ପହଞ୍ଚାଇଥିଲେ। ଶାର୍ଦ୍ଦୁଲ ଠାକୁର ୨୮ ଓ ରବିଚନ୍ଦ୍ରନ୍ ଅଶ୍ୱିନ ୧୬ ରନ୍ କରିଥିଲେ। ରାହାଣେ ୫୮ ଓ ପୂଜାରା ୫୩ ରନ୍‌ରେ ଆଉଟ୍ ହୋଇଥିଲେ। ଏହି ଦୁଇଜଣଙ୍କ ୱିକେଟ୍ ରବାଡାଙ୍କ ଖାତାକୁ ଯାଇଥିଲା। ରାହାଣେଙ୍କୁ ଆଉଟ୍ କରିବାର ପରବର୍ତ୍ତୀ ଓଭର୍‌ରେ ରବାଡା ୱିକେଟ୍‌କିପର୍ ଋଷଭ ପନ୍ତ୍‌ଙ୍କୁ ଶୂନ୍ୟରେ ଆଉଟ୍ କରି ପ୍ୟାଭିଲିୟନ୍ ପଠାଇ ଦେଇଥିଲେ। ଅଶ୍ୱିନ ମଧ୍ୟ କୌଣସି କାରନାମା କରିପାରି ନଥିଲେ ଏବଂ ୧୬ ରନ୍ କରି ଲୁଙ୍ଗି ଏନ୍‌ଗିଡିଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଫଳରେ ୧୫୫ ରନ୍‌ରେ ୩ଟି ୱିକେଟ୍ ହରାଇଥିବା ଟିମ୍ ଇଣ୍ଡିଆର ସ୍କୋର୍ ଚାହୁଁ ଚାହୁଁ ୬ ୱିକେଟ୍‌ରେ ୧୮୪ ହୋଇଯାଇଥିଲା।

ଦୁଇ ଓପ୍ନର୍ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବାପରେ ଆଉଟ୍ ଫର୍ମରେ ଥିବା ପୂଜାରା ଓ ରାହାଣେ ଇନିଂସ୍ ସମ୍ଭାଳିଥିଲେ। ଉଭୟ ତୃତୀୟ ଦିନର ପ୍ରଥମ ଏକ ଘଣ୍ଟା ବ୍ୟାଟିଂ କରି ଟିମ୍‌କୁ ମ୍ୟାଚ୍‌ରେ ବଞ୍ଚାଇ ରଖିଥିଲେ। ଉଭୟ ତୃତୀୟ ୱିକେଟ୍ ପାଇଁ ୧୪୪ ବଲ୍‌ରୁ ୧୧୧ ରନ୍ ଯୋଡ଼ିଥିଲେ। ମାତ୍ର ଅର୍ଦ୍ଧଶତକ ହାସଲ କରିବା ପରେ ଦୁଇ ଅନୁଭବୀ ଖେଳାଳି ନିଜ ଇନିଂସ୍‌କୁ ଆଗକୁ ବଢ଼ାଇବାରେ ବିଫଳ ହୋଇଥିଲେ। ତେବେ କଠିନ ପରିସ୍ଥିତିରେ ଆକର୍ଷଣୀୟ ଇନିଂସ୍ ଖେଳିଥିଲେ। ପୂଜାରାଙ୍କର ଏହା ୩୨ତମ ଟେଷ୍ଟ ଅର୍ଦ୍ଧଶତକ ହୋଇଥିବା ବେଳେ ରବାଡା ତାଙ୍କୁ ତୃତୀୟ ଥର ପାଇଁ ଆଉଟ୍ କରିଥିଲେ। ସେହିପରି ୫୮ ରନ୍ କରିଥିବା ରାହାଣେଙ୍କର ଏହା ୨୫ତମ ଅର୍ଦ୍ଧଶତକ ହୋଇଥିବା ବେଳେ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ରନ୍ ସଂଗ୍ରହରେ ସେ ପୂର୍ବତନ ଅଧିନାୟକ ଏମ୍‌ଏସ୍ ଧୋନିଙ୍କ ପଛରେ ପକାଇ ଭାରତର ୧୩ତମ ଖେଳାଳି ହୋଇଛନ୍ତି। ଧୋନି ଟେଷ୍ଟ କ୍ରିକେଟ୍‌ରେ ମୋଟ ୪୮୭୬ ରନ୍ କରିଥିବା ବେଳେ ରାହାଣେଙ୍କ ରନ୍ ୪୯୦୬ରେ ପହଞ୍ଚିଛି।

ମ୍ୟାଚ୍‌ର ଦ୍ୱିତୀୟ ଦିନ ସାଉଥ୍ ଆଫ୍ରିକା ପ୍ରଥମ ଇନିଂସ୍ ୨୨୯ ରନ୍‌ରେ ଶେଷ ହୋଇଥିଲା। ଶାର୍ଦ୍ଦୁଲ ଠାକୁର କ୍ୟାରିୟର୍ ଶ୍ରେଷ୍ଠ ପ୍ରଦର୍ଶନ କରି ୬୧ ରନ୍‌ରେ ୭ଟି ୱିକେଟ୍ ହାସଲ କରିଥିଲେ। ଏହି ସଫଳତା ଫଳରେ ସେ ସାଉଥ୍ ଆଫ୍ରିକା ମାଟିରେ ଦେଶ ପକ୍ଷରୁ ଶ୍ରେଷ୍ଠ ବୋଲର୍ ହେବାର ଗୌରବ ଅର୍ଜନ କରିଥିଲେ। ସେହିପରି ମହମ୍ମଦ ଶମୀ ୨ଟି ଓ ଜସ୍‌ପ୍ରୀତ୍ ବୁମ୍‌ରା ଗୋଟିଏ ୱିକେଟ୍ ନେଇଥିଲେ। ସାଉଥ୍ ଆଫ୍ରିକା ପକ୍ଷରୁ ପ୍ରଥମ ଇନିଂସ୍‌ରେ କିଗନ୍ ପିଟରସନ୍ ସର୍ବାଧିକ ୬୨ ଓ ଅଧିନାୟକ ଟେମ୍ବା ବାଭୁମା ୫୧ ରନ୍ କରିଥିଲେ।