କୋରାପୁଟରେ ସର୍ବାଧିକ ୯୭ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୯୦୦ ଟପିଲା

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ସର୍ବାଧିକ ୯୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨୨କୁ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ହୋମ୍ କ୍ୱାରେଣ୍ଟାଇନରୁ୯ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ୮୮ ଜଣଙ୍କ ମଧ୍ୟରୁ କଣ୍ଟେନମେଣ୍ଟ ଜୋନରୁ ୫୮ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ୪ଜଣ ଅଙ୍ଗନବାଡ଼ିି କର୍ମୀ ଥିବା ଜଣାପଡ଼ିଛି। ଏମାନଙ୍କ ଭିତରୁ କୋରାପୁଟ ପୌରାଞ୍ଚଳର ୮, ଜୟପୁର ପୌରାଞ୍ଚଳରୁ ୪୮, ବୈପାରିଗୁଡ଼ା ବ୍ଲକରୁ ୧୪, ବନ୍ଧୁଗାଁ ବ୍ଲକରୁ ୬, ସେମିଲିଗଡ଼ା ବ୍ଲକ୍ ଭେଜାପୁଟରୁ ୫, ସୁନାବେଡ଼ା ପୌରାଞ୍ଚଳରୁ ୨, କୋରାପୁଟ ବ୍ଲକ ଦାମନଯୋଡ଼ି ଓ ଜୟପୁର ବ୍ଲକ ତାଟିଗୁଡ଼ାରୁ ୪ଜଣ ଲେଖାଏଁ, ଲକ୍ଷ୍ମୀପୁର ବ୍ଲକ୍ ତୋୟାପୁଟରୁ ୩, କୋଟପାଡ଼ ବ୍ଲକ ବବେୟା, ନନ୍ଦପୁର ବ୍ଲକ୍ ପାଡୁଆ ଓ ପଟ୍ଟାଙ୍ଗୀ ବ୍ଲକ୍ ସୁଙ୍କିରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୧୪ ମଧ୍ୟରାତ୍ରୀ ଯାଏ ଲକଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ଜରୁରୀ ସେବାକୁ କଟକଣା ମୁକ୍ତ ରଖାଯାଇ ଥିବାବେଳେ କେତେକ ବ୍ୟବସାୟିକ ପ୍ରତିଷ୍ଠାନକୁ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଖୋଲିବାକୁ ଅନୁମତି ଦିଆଯାଇଛି। ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଅନ୍ୟ କିଛି ଅନୁଷ୍ଠାନ ଆଦୌ ନଖୋଲିବାକୁ କୁହାଯାଇଛି। ତେଣୁ ସମସ୍ତେ ଲକଡାଉନ୍ ସମୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଏସଓପି ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।